
ଭୁବନେଶ୍ୱର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍ମିଶନ ଫି’, ଡେଭଲପ୍ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଫି’ ସରକାର ବହନ କରିବେ। ତେବେ ପରୀକ୍ଷା ଫି’କୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ବିଶ୍ୱବିଦ୍ୟାଳୟର ନିୟମ ଅନୁଯାୟୀ ପରୀକ୍ଷା ଫି’ ଛାତ୍ରୀଛାତ୍ରଙ୍କୁ ଦେବାକୁ ପଡ଼ିବ। କେଜିରୁ ପିଜି ମାଗଣା ଶିକ୍ଷା ନେଇ ସରକାରଙ୍କ ଘୋଷଣା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ବିସ୍ତୃତ ମାର୍ଗଦର୍ଶିକା ବା ଏସ୍ଓପି ଜାରି କରାଯାଇଛି। ନାମଲେଖା ଫି’ ଭଳି ଛାତ୍ରୀଛାତ୍ରଙ୍କଠାରୁ ଆଉ କେତେକ ଫି’ ଆଦାୟ କରିପାରିବେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ସେମିନାର, ପରୀକ୍ଷା, ଶୈକ୍ଷିକ ଭ୍ରମଣ, ଆଲୁମ୍ନି ଆସୋସିଏଶନ ଭଳି କାର୍ଯ୍ୟକ୍ରମ ପାଇଁ ଫି’ ଆଦାୟ କରିବାକୁ ଉଚ୍ଚଶିକ୍ଷା ବିଭାଗ ଅନୁମତି ଦେଇଛି। ଯୋଜନାର ସୁବିଧା ପାଇବା ପାଇଁ ଛାତ୍ରୀଛାତ୍ରଙ୍କ ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯାଇଛି। ବିଶେଷ ପରିସ୍ଥିତିରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଅନୁମତି ଦେଲେ ଉପସ୍ଥାନ ହାର କମାଯାଇପାରିବ। ୬୫%ରୁ କମ୍ ଉପସ୍ଥାନ ଥିବା କିମ୍ବା ଯୋଜନା ପାଇଁ ଅଯୋଗ୍ୟ ଛାତ୍ରୀଛାତ୍ରଙ୍କ ଫି’ ସରକାର ବହନ କରିବେ ନାହିଁ। ତେବେ ଏଭଳି ଛାତ୍ରୀଛାତ୍ରଙ୍କ ନାମଲେଖା ଓ ଅନ୍ୟାନ୍ୟ ଫି’ କିପରି ଏବଂ କେବେ ଆଦାୟ କରାଯିବ, ସେନେଇ ଏସ୍ଓପିରେ ସ୍ପଷ୍ଟ କରାଯାଇନାହିଁ। ୨୦୨୬-୨୭ ଶିକ୍ଷାବର୍ଷରେ ନାମଲେଖା ପାଇଁ ସାମ୍ସ ୱେବ୍ସାଇଟ୍ରେ ପୂର୍ବରୁ ନିର୍ଦ୍ଧାରିତ ଫି’ ଅନୁଯାୟୀ ସରକାର ଅନୁଦାନ ପ୍ରଦାନ କରିବେ। ସେହିପରି ୨୦୨୫-୨୬ ଶିକ୍ଷାବର୍ଷରେ ଧାର୍ଯ୍ୟ ହୋଇଥିବା ପୁନଃନାମଲେଖା ଫି’ ଆଧାରରେ ଚଳିତବର୍ଷ ଅନୁଦାନ ଦିଆଯିବ। କୌଣସି ଶିକ୍ଷାନୁଷ୍ଠାନ ନିଜ ଇଚ୍ଛାରେ ଏହି ଫି’ ପରିବର୍ତ୍ତନ କରିପାରିବେ ନାହିଁ। ଆଗକୁ ଫି’ ବୃଦ୍ଧି ନିଷ୍ପତ୍ତି ପାଇଁ ରାଜ୍ୟସ୍ତରରେ ଏକ ଫି’ ରେଗୁଲେଶନ କମିଟି ଗଠନ କରାଯିବ। ଉଚ୍ଚଶିକ୍ଷା ବିଭାଗର ସଚିବ ଏହି କମିଟିର ଅଧ୍ୟକ୍ଷ ରହିବେ। ଅର୍ଥ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗ ଏବଂ ଗଣଶିକ୍ଷା ବିଭାଗରୁ ଜଣେ ଲେଖାଏ ସଦସ୍ୟ ରହିବେ। ଏଥିସହ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦୁଇଜଣ ସଦସ୍ୟ, ଦୁଇଜଣ ଲେଖାଏ କୁଳପତି, ସରକାରୀ କଲେଜର ଅଧ୍ୟକ୍ଷ, ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷ ଏବଂ ଉଚ୍ଚଶିକ୍ଷା ବିଭାଗର ଅଧିକାରୀ କମିଟିରେ ସଦସ୍ୟ ରହିବେ ବୋଲି ଏସ୍ଓପିରେ ଉଲ୍ଲେଖ କରାଯାଇଛି।




