
ଭୁବନେଶ୍ୱର: କଂଗ୍ରେସ କର୍ମୀଙ୍କ ଉପରେ ପାଣି ପରେ ଟିୟର ଗ୍ୟାସ ପ୍ରୟୋଗ କଲା ପୁଲିସ । ଲୋୟର ପିଏମଜିରେ ଆନେ୍ଦାଳନରତ କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଶେଷରେ ଟିୟର ଗ୍ୟାସ ପ୍ରୟୋଗ କରିଛି ।
କଂଗ୍ରେସ କର୍ମୀଙ୍କ ଉଗ୍ର ରୂପ । ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀ ପୁଲିସ ଉପରକୁ ପଥର ମାଡ଼ କରିବା ସହ ଚେୟାର ଫିଙ୍ଗିଛନ୍ତି । ଏପରିକି ପାଣି ବୋଟଲ, ଟୋମାଟୋ ଫିଙ୍ଗିଛନ୍ତି । ଯାହାକୁ ନେଇ ପୁଲିସ ଲାଠି ଚାର୍ଜ କରିବା ସହ ପାଣି ମାଡ଼ ମଧ୍ୟ କରିଥିଲା ।ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଗୁରୁବାର ଭୁବନେଶ୍ୱରସ୍ଥ ଲୋୟର ପିଏମଜିରେ ଗର୍ଜନ କରିଛି । ଆଜି ଦଳ ପକ୍ଷରୁ ବିଧାନ ଘେରାଉ ଡାକରା ଦିଆଯାଇଥିବାବେଳେ କଂଗ୍ରେସ କର୍ମୀମାନେ ପ୍ରଥମେ ଲୋୟର ପିଏମଜିରେ ପୁଲିସ ପକ୍ଷରୁ କରାଯାଇଥିବା ବ୍ୟାରିକେଡକୁ ଭାଙ୍ଗିଦେଇଥିଲେ । ପରେ ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବାବେଳେ ପୁଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ କଂଗ୍ରେସ କର୍ମୀମାନେ ଏହି ଅବସରରେ ପଥରମାଡ଼ କରିବା ସହ ଚେୟାର ଫିଙ୍ଗିଥିଲେ । ଯାହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପୁଲିସ କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା । ତେବେ କିଛି ସମୟ ପରେ ପୁଣି କଂଗ୍ରେସ କର୍ମୀମାନେ ବ୍ୟାରିକେଡ ପାଖକୁ ଆସି ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଫଳରେ ପୁଲିସ ସେମାନଙ୍କ ଉପରକୁ ପାଣିମାଡ଼ କରିଥିଲା । ଶେଷର ଟିୟର ଗ୍ୟାସ ପ୍ରୟୋଗ କଲା ପୁଲିସ ।







