
ଭୁବନେଶ୍ବର : ଜଳୁଛି ପଶ୍ଚିମ ଓଡ଼ିଶା । ଏବେଠୁ ପଶ୍ଚିମ ଓଡ଼ିଶାରେ ନିଆଁବର୍ଷା ହେଲାଣି । ପାରଦ ୪୦ ଡିଗ୍ରୀ ଉପରକୁ ପାର କରିଛି। ରବିବାର ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ସେଠାରେ ଆଜି ଦିନର ତାପମାତ୍ରା ୪୧.୮ ଡିଗ୍ରୀ ରହିଛି। ସେହିପରି ରାଉରକେଲାରେ ୩୯.୮ ଡ଼ିଗ୍ରୀ, ସମ୍ବଲପୁରରେ ୩୯ ଡ଼ିଗ୍ରୀ, ହୀରାକୁଦରେ ୩୮.୪ ଡ଼ିଗ୍ରୀ, କେନ୍ଦୁଝରରେ ଏବଂ ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ ରେକର୍ଡ ହୋଇଛି ।
ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ , ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି ରହିବ । ରବିବାର ପାଇଁ ସିଭିୟର ହିଟ୍ ୱେଭ୍ ଆଲର୍ଟ ଜାରି ହୋଇଛି । ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଅନୁଗୁଳ, ସୁନ୍ଦରଗଡ, ସୋନପୁର ଓ ବୌଦ୍ଧରେ ଅତ୍ୟଧିକ ଖରା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।







