
ଦେବଗଡ଼:ସ୍ବାଧିନତାର ୭ ଦଶନ୍ଧି ପରେ ବି ଜିଲ୍ଲାରେ ଏପରି କିଛି ଗ୍ରାମ ଅଛି ଲୋକଙ୍କ ପାଇଁ ବିଦ୍ୟୁତ ସେବା ଅପହଂଚ ହୋଇପଡିଛି। ଅନ୍ୟପଟେ ରାଜସ୍ବ ଗ୍ରାମର ମାନ୍ୟତା ପାଇଥିବାବେଳେ ୮ଟି ଗ୍ରାମବାସୀଙ୍କ ପାଇଁ ବିଦ୍ୟୁତ ସେବା ସାତ ସପନ ପାଲଟିଛି।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା ପାହାଡ ଉପରେ ଥିବା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି।ସମସ୍ତ ବ୍ୟବସ୍ଥା ଅଛି,କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇପାରୁନାହାଁନ୍ତି।ଦୁର୍ଗମ ଅଂଚଳରେ କାମ କରୁନି ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୋଲାର ଲାଇଟ।ବର୍ଷ ବର୍ଷ ହେଲାଣି ଅନ୍ଧକାର ଭିତରେ ଦିନ କାଟୁଛନ୍ତି ଗ୍ରାମବାସୀ।ସନ୍ଧ୍ୟା ହେଲା ମାତ୍ରେ ଅନ୍ଧାରରେ ବୁଡୁଛି ଗାଁ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକର ଉପାନ୍ତ ଅଂଚଳରେ ବସବାସ କରୁଥିବା ଭଙ୍ଗାମୁଣ୍ଡା, ତେଲଭାଙ୍ଗୁଣି, ଖଜୁରୀଖମଣ,ଜଗଦଲା, ବିରିଆମ, ଲଇଣ୍ଡା, ହିରନ ଓ ବାଲିଆମ।ଏହି ଗ୍ରାମ ଗୁଡିକ ପାହାଡ଼ ଉପରେ ଅବସ୍ଥିତ ଥିବାରୁ ଏ ଯାଏଁ ଗାଁକୁ ପହଞ୍ଚି ପାରିନି ବିଦ୍ୟୁତ ସେବା।ସେହି ଦୃଷ୍ଟିରୁ ଗ୍ରାମବାସୀଙ୍କୁ ବିକଳ୍ପ ବିଦ୍ୟୁତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୫-୧୬ରେସରକାରଙ୍କ ପକ୍ଷରୁ ଓରେଡା ବିଭାଗ ପକ୍ଷରୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଗ୍ରାମକୁ ସୋଲାର ଲାଇଟ ପ୍ରଦାନ କରାଯାଇଥିଲା। ପ୍ରତି ପରିବାରକୁ ଯୋଗାଇ ଦିଆଯାଇଥିଲା ସୋଲାର ଲାଇଟ। କିନ୍ତୁ କିଛି ବର୍ଷ ଚାଲିବା ପରେ ଉକ୍ତ ସୋଲାର ଲାଇଟ ଗୁଡିକ ବର୍ତ୍ତମାନ ଅଚଳ ହୋଇ ପଡିରହିଛି।ଅନ୍ୟପଟେ ରକ୍ଷଣାବେକ୍ଷଣ ଅଭାବରୁ ସମସ୍ତ ଉପକରଣ ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଗଲାଣି।ସମ୍ପୃକ୍ତ ସଂସ୍ଥା ସୋଲାର ଲାଇଟ ଲଗାଇ ଦାୟିତ୍ୱ ସମ୍ପାଦନ କରିଦେଇ ଏହାର ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟକୁ ଯେପରି ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଏହାସହିତ ଉକ୍ତ ଗ୍ରାମ ଗୁଡିକରେ ତୁରନ୍ତ ଏକ ନୂତନ ସର୍ଭେ କରାଯାଇ ବାଦ ପଡିଥିବା ସମସ୍ତ ନୂତନ ପରିବାର ତଥା ପୁରୁଣା ଘରକୁ ଚିହ୍ନଟ କରିବା ସହ ଯେ ପର୍ଯ୍ୟନ୍ତ ଗ୍ରାମଗୁଡିକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇନାହିଁ ସେ ପର୍ଯ୍ୟନ୍ତ ସୋଲାର ଲାଇଟର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।ଏନେଇ ଉକ୍ତ ଗ୍ରାମବାସୀମାନେ ଗ୍ରାମରେ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ଟିପିଡବ୍ଲୁଓଡିଏଲ ବିଭାଗରେ ଦାବି କରିଥିଲେ।କିନ୍ତୁ ଟିପିଡବ୍ଲୁଓଡିଏଲ ବିଭାଗ ପକ୍ଷରୁ ଉକ୍ତ ଗ୍ରାମ ଗୁଡିକରେ ବିଦ୍ୟୁତ ଯୋଗାଣ ପାଇଁ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି।ପ୍ରସ୍ତାବ ଅନୁମୋଦନ ହେଲେ ଉକ୍ତ ଗ୍ରାମ ଗୁଡିକରେ ବିଦ୍ୟୁତ ସେବାର ସୁବିଧା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଠି ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।







