
ଭୁବନେଶ୍ୱର: ନବ ଦାସ ହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ଝିଅ ଦୀପାଳି ଦାସ । ହେଲେ ଏପର୍ୟ୍ୟନ୍ତ ସିବିଆଇକୁ ଏନେଇ ଲିଖିତ ଆକାରରେ ଜଣାଇନାହାନ୍ତି ଦୀପାଳି କିମ୍ବା ତାଙ୍କ ପରିବାର । ଯାହାକୁ ନେଇ ବିଜେଡି ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ସିବିଆଇ ତଦନ୍ତ ନକରିବାକୁ ନବ ଦାସଙ୍କ ପରିବାର ଉପରେ ବିଜେଡି ଚାପ ପକାଉଥିବା ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ ।
ପ୍ରଦୀପ ପୁରୋହିତ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦୁଇ ଜଣଙ୍କ ନାଁ ଚର୍ଚ୍ଚାରେ ଥିଲା । ଜଣେ ଆଇଇଏସ୍ ଅଧିକାରୀ ଥିଲେ, ଯିଏ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଥିଲେ । ଆଉ ଜଣେ ବିଜେଡିର ବଡ଼ ନେତା ଥିଲେ, ଯିଏ ସାରା ରାଜ୍ୟକୁ ଚଳାଉଥିଲେ । ଶନି ମନ୍ଦିରରୁ ଆସିବା ପରେ କାଳେ ନବ ଦାସ ମୁଖ୍ୟମନ୍ତ୍ରୀ ହୋଇଯିବେ, ସେଥିପାଇଁ ସେମାନେ ନବ ଦାସଙ୍କୁ ରାସ୍ତାରୁ ହଟାଇ ଦେଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପ ପୁରୋହିତ । ଏବେ ଯଦି ସିବିଆଇ ତଦନ୍ତ ପାଇଁ ନବଙ୍କ ପରିବାର ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବେ, ତାହେଲେ ବିଜେଡିର ଦୁଇଟି ବଡ଼ ମୁଣ୍ଡ ଫସିଯିବେ ବୋଲି ପ୍ରଦୀପ କହିଛନ୍ତି ।
ଖାଲି ଏତିକି ନୁହେଁ ବରଂ ଯଦି ପ୍ରକୃତରେ ନବ ଦାସଙ୍କ ପରିବାର ହତ୍ୟାକାଣ୍ଡର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି ସେମାନେ ତୁରନ୍ତ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାନ୍ତୁ । ଯେବେ ବି ଦୀପାଳି କିଛି ଷ୍ଟେଟମେଣ୍ଟ ଦେଉଛନ୍ତି ବିଜେଡି ନେତାମାନେ ବସିକି ତାଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ସମ୍ପୂର୍ଣ୍ଣ ଭାବେ ଚାପଗ୍ରସ୍ତ ଥିବା କାରଣରୁ ନବଙ୍କ ପରିବାର କୌଣସି ପ୍ରକାର ନିଷ୍ପତ୍ତି ନେଇ ପାରୁ ନାହାନ୍ତି । ବିଜେଡି ନବଙ୍କ ପରିବାର ଉପରେ ଭାରି ହୋଇ ପଡ଼ିଛି । ନୂଆ ସରକାର ସେଥିପାଇଁ କ୍ରାଇମବ୍ରାଞ୍ଚ ଜରିଆରେ ନବ ପରିବାରଙ୍କୁ ତଦନ୍ତ ନେଇ ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ଦେବାକୁ କହିଛନ୍ତି । ପୁର୍ବରୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ଦିଶାହୀନ କରି ଫାଇଲ କ୍ଲୋଜ କରି ରଖିଛି । ନବଙ୍କ ପରିବାର ଯଦି କିଛି ଆପତ୍ତି ଅଭିଯୋଗ କି ଅଧିକ ତଥ୍ୟ ନଦେବେ ନବଙ୍କ ଫାଇଲ କ୍ଲୋଜ ହୋଇ ଯାଇପାରେ । ତେଣୁ ନବଙ୍କ ପରିବାର ତୁରନ୍ତ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାନ୍ତୁ ବୋଲି ପ୍ରଦୀପ କହିଛନ୍ତି ।
ଅନ୍ୟପକ୍ଷରେ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ନବଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଲ ଦାସଙ୍କୁ ନୋଟିସ ଜାରି କରାଯାଇଛି। ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟରେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ନୋଟିସରେ କୁହାଯାଇଛି। ନବଙ୍କ ହତ୍ୟାକୁ ନେଇ ଦୀପାଳି ଏବଂ ବିଶାଲଙ୍କ ମଧ୍ୟରେ ବୟାନବାଜି ଜାରି ରହିଥିବାରୁ ଏହାକୁ ନେଇ କ୍ରାଇମବ୍ରାଞ୍ଚ ସେମାନଙ୍କୁ ନୋଟିସ ଜାରି କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ଜାରି ରହିଛି। ତଦନ୍ତ ସମ୍ପନ୍ନ ହୋଇ ନ ଥିବାବେଳେ କ୍ରାଇମବ୍ରାଞ୍ଚ ଏହାର ଚୂଡ଼ାନ୍ତ ଚାର୍ଜଶିଟ୍ ମଧ୍ୟ ଦାଖଲ କରିନାହିଁ।



