
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସୁରୁଖୁରୁରେ ଚାଲି ଭୋଟିଂ । ଦିନ ୧ଟା ସୁଦ୍ଧା ୫୧.୪୨ ପ୍ରତିଶତ ଭୋଟିଂ ହୋଇଛି । ଦିନ ୧୧ଟା ସୁଦ୍ଧା ୩୨.୫୧ ପ୍ରତିଶତ ଭୋଟିଂ ହୋଇଥିଲା । ସେହିପରି ସକାଳ ୯ଟା ସୁଦ୍ଧା ନୂଆପଡାରେ ୧୪.୯୯ ପ୍ରତିଶତ ମତଦାନ ହୋଇଥିଲା । ଏପଟେ ନୂଆପଡ଼ା ଉପନିର୍ବାଚନ ସ୍ଥିତିକୁ କଣ୍ଟ୍ରୋଲ ରୁମରୁ ଅନୁଧ୍ୟାନ କରୁଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଏବଂ ତାଙ୍କ ଟିମ୍ । ପୁରା ଭୋଟିଂ ପ୍ରକ୍ରିୟାକୁ କରୁଛନ୍ତି ମନିଟରିଂ ।
ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୁଲିସ ତତ୍ପର । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ରାଜ୍ୟ ସଶସ୍ତ୍ର ବାହିନୀ ଓ ପୁଲିସ ଅଧିକାରୀଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ଆସନ୍ତା ୧୪ରେ ଭୋଟ୍ ଗଣତି ଥିବାରୁ ଅଧିକ ପୁଲିସ ଓ ସୁରକ୍ଷାବାହିନୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ନୂଆପଡ଼ା ନିର୍ବାଚନମଣ୍ଡଳୀ(୭୧)ର ଉପ-ନିର୍ବାଚନ ପାଇଁ ୩୫୮ ବୁଥ ରହିଛି। ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସରକାରୀ ନେସନାଲ ଉଚ୍ଚ ବିଦ୍ୟାଳୟରେ ୨ଟି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୋଟିଏ, ଖରିଆରରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ସରକାରୀ ଉଚ୍ଚ ବିଦ୍ୟାଳୟ ଖରିଆର ରୋଡରେ ୩ଟି ଏପରି ମୋଟ ୬ଟି ପିଙ୍କ ବୁଥ୍ କରାଯାଇଛି ।




