
ଭୁବନେଶ୍ୱର,: ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଏ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ସବୁ ରାଜ୍ୟ ରାଜନୀତି ବେଶ୍ ସରଗରମ ହୋଇପଡ଼ିଛି । ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିବାକୁ ଶାସକ ବିଜେପିଠୁ ଆରମ୍ଭ କରି ମୁଖ୍ୟ ବିରୋଧୀ ଦଳ ବିଜେଡି ଓ ଜାତୀୟ ଦଳ କଂଗ୍ରେସ ଜୋରଦାର କସରତ ଆରମ୍ଭ କରିଛନ୍ତି । ଯେମିତି ହେଉ ନିର୍ବାଚନ ଜିତିବାକୁ ଏବେଠୁ ରଣନୀତି ପ୍ରସ୍ତୁତ କରିବାରେ ମାତିଲେଣି । କିଏ ଶୋଭାଯାତ୍ରା କଲାଣି ତ କିଏ ସମାବେଶ । କେଉଁ ଦଳ ଅଧିକ ପଞ୍ଚାୟତ ଦଖଲ କରିବ, ସେ ନେଇ ପ୍ରତିଦିନ ଘନ ଘନ ବୈଠକ କରିବା ସହିତ ତର୍ଜମା ଆରମ୍ଭ କଲେଣି । ଦଳୀୟ କାର୍ଯ୍ୟାଳୟଗୁଡ଼ିକରେ ଏବେଠୁ ଗହଳି ଦେଖିବାକୁ ମିଳିଲାଣି ।
ଦ୍ୱିତୀୟ ଥର ବିଜେପି ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିବା ଡି.ପୁରନ୍ଦେଶ୍ୱରୀ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଓ ଦଳର କର୍ମୀମାନଙ୍କୁ ଭେଟିଛନ୍ତି । ଦଳକୁ ଆଗକୁ କେମିତି ମଜଭୁତ କରାଯିବ ସେ ନେଇ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି । ତାଙ୍କ ଗସ୍ତ ବେଳେ ରାଜ୍ୟ ବିଜେପି ପଞ୍ଚାୟତ ନିର୍ବାଚନ ଜିତିବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଜଣାପଡ଼ିଛି । ବର୍ତ୍ତମାନ ଦଳର ନେତାଙ୍କ ମନୋଭାବ କିପରି ରହିଛି ତା’ ଉପରେ ପ୍ରଭାରୀ ଆଲୋଚନା କରିଥିବା କହିଛନ୍ତି । ଦଳ କେମିତି ଆଗକୁ ଯିବ ତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା ପୁରନ୍ଦେଶ୍ୱରୀ କହିଛନ୍ତି ।
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ । କାରଣ ଆମ ଦଳ ସବୁବେଳେ ଗ୍ରାଉଣ୍ଡରେ ରହେ । ଲୋକଙ୍କ ସେବାରେ ଆମେ ଅଛୁ । ପଞ୍ଚାୟତ ନିର୍ବାଚନ ଆସିଲେ ସବୁ ସ୍ପଷ୍ଟ ହେବ । ବିଜେପିର ପ୍ରଭାରୀ ବୈଠକରେ ସହଜ ସ୍ଥିତି ନ ଥିବା କହିଛନ୍ତି ଶ୍ରୀ ଦାସ । ବିଜେପି ନିଜେ ଆତଙ୍କିତ ଅଛି । ଜେନ୍-ଜି କାହା ସପକ୍ଷରେ ଅଛନ୍ତି ବିଜେପିକୁ ବୁଝେଇବାକୁ ପଡ଼ିବନି । ଜେନ୍-ଜିଙ୍କୁ ମନେଇବା ଚେଷ୍ଟା କାମ ଦେବନି ବୋଲି ସେ କହିଛନ୍ତି ।
ଅପରପକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସବୁ ରାଜନୈତିକ ଦଳ ନିଜ ନିଜ କାମ କରୁଛନ୍ତି । ବିଜେପି ତଳକୁ ଖସୁଛି । ଅଢେଇ ବର୍ଷ ଭିତରେ କିଛି କାମ କରିନାହାନ୍ତି । ତାଙ୍କ ପରିସ୍ଥିତି ଭଲ ନାହିଁ । ବିଜେଡି ଏବେ ନିର୍ବାଚନ ଲଢ଼ିବା ପରିସ୍ଥିତିରେ ନାହିଁ । ଲୋକେ ତାଙ୍କୁ ଚାହୁଁନାହାନ୍ତି । ଏପଟେ ରାଜ୍ୟରେ କଂଗ୍ରେସର ଗ୍ରହଣୀୟତା ବଢିଛି । ଦଳର ସବୁ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଆସୁଛନ୍ତି । ବର୍ତ୍ତମାନ ସବୁ ପ୍ରସଙ୍ଗରେ କଂଗ୍ରେସ ଲୋକଙ୍କ ସ୍ୱର ପାଲଟିଛି । ଆସନ୍ତା ପଞ୍ଚୟତ ନିର୍ବାଚନରେ କଂଗ୍ରେସ ହିଁ ଜିତିବ । ଡବଲ ଇଞ୍ଜିନ ବିରୋଧରେ ଜେନ୍ ଜି ଲଢେଇ କରୁଛନ୍ତି । ରାହୁଲ ଗାନ୍ଧୀଙ୍କ ସହ ଜେନ୍ ଜି ଅଛନ୍ତି । ନିର୍ବାଚନରେ ଏମ୍ଏମ୍ଡିଆର୍ ଆଇନ ପ୍ରତ୍ୟାହାରକୁ ନେଇ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଜୟଦେବ କହିଛନ୍ତି ।








