
ଭୁବନେଶ୍ବର: ନୂତନ ନିଯୁକ୍ତି ହେଉ ଅବା ବଦଳି ପରେ ନୂତନ ସ୍ଥାନରେ ନିଯୁକ୍ତି ଏବଂ ଦାୟିତ୍ୱ ପ୍ରଦାନ, ଏସବୁ କ୍ଷେତ୍ରରେ ଅନେକ ସମୟରେ ବହୁ ବିଳମ୍ୱ ଦେଖିବାକୁ ମିଳୁଛି । ଜଏନିଂ ଏବଂ ପୋଷ୍ଟିଂ ଅର୍ଡର ମିଳିବାରେ ବିଳମ୍ୱ ଯୋଗୁ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଣୁ ରାଜ୍ୟ ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ଅର୍ଡର ଜାରିରେ ଅସ୍ୱାଭାବିକ ବିଳମ୍ବ ଓ ତାହାର ପରିଣାମରୂପେ ଯୋଗଦାନ ସମୟ ବୃଦ୍ଧି ଘଟଣାକୁ ଗୁରୁତ୍ୱର ସହ ନେଇଛି ଓଡ଼ିଶା ସରକାର । ଏହାକୁ ନେଇ ଅର୍ଥ ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି ।
ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ସହ ସେହି ସମୟରେ କର୍ମଚାରୀଙ୍କୁ ଦିଆଯାଇଥିବା ‘ନିଷ୍କ୍ରିୟ ବେତନ’ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ମିଶ୍ରଙ୍କ ତରଫରୁ ଏନେଇ ଜାରୀ ହୋଇଛି ସର୍କୁଲାର । ସମସ୍ତ ଅତିରିକ୍ତ ମୁଖ୍ୟ ସଚିବ, ପ୍ରଧାନ ସଚିବ, କମିଶନର-କମ୍-ସଚିବ ଓ ସଚିବମାନଙ୍କୁ ଏହି ନିର୍ଦ୍ଦେଶ ପଠାଯାଇଛି ।
ସରକାରୀ ନିୟମ ଅନୁଯାୟୀ, ନୂତନ ସ୍ଥାନରେ ଯୋଗଦାନ ପାଇଁ ସର୍ବାଧିକ ୧୨୦ ଦିନ ପର୍ଯ୍ୟନ୍ତ ସମୟ ବୃଦ୍ଧିକୁ ପ୍ରଶାସନିକ ବିଭାଗମାନେ ଅନୁମୋଦନ କରିପାରନ୍ତି । କିନ୍ତୁ ଅର୍ଥ ବିଭାଗର ଦୃଷ୍ଟିକୁ ଆସିଛି ଯେ, ଅନେକ ମାମଲାରେ ପୋଷ୍ଟିଂ ଅର୍ଡର ଓ ଯୋଗଦାନ ସମ୍ବନ୍ଧୀୟ ଫାଇଲ ବିଭିନ୍ନ ସ୍ତରରେ ଅନାବଶ୍ୟକ ଭାବେ ଅଟକି ରହୁଛି । ଏହାର ଫଳରେ ୬ ମାସ କିମ୍ବା ତାଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଯୋଗଦାନ ସମୟ ବୃଦ୍ଧି ପ୍ରସ୍ତାବ ଆସୁଛି । ସରକାର ଏହାକୁ ଗୁରୁତର ପ୍ରଶାସନିକ ତ୍ରୁଟି ଭାବେ ଦେଖିଛନ୍ତି । ବିଶେଷ କରି ଅଡିଟରେ ଏହା ଉପରେ ଆପତ୍ତି ଉଠିଛି । କାର୍ଯ୍ୟ ନକରି କର୍ମଚାରୀଙ୍କୁ ବେତନ ପ୍ରଦାନ ହେଉଥିବା ଘଟଣାକୁ ଆର୍ଥିକ ଅନିୟମିତତା ଭାବେ ଚିହ୍ନଟ କରାଯାଇଛି ।
ନୂତନ ନିର୍ଦ୍ଦେଶାନୁସାରେ, ୩୦ ଦିନରୁ ଅଧିକ ଯୋଗଦାନ ସମୟ ବୃଦ୍ଧି ମାମଲାରେ ଦାୟୀ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାକୁ ପ୍ରଶାସନିକ ବିଭାଗମାନଙ୍କୁ କୁହାଯାଇଛି । ବିଳମ୍ବ କାରଣରୁ ଯେଉଁ ବେତନ ଅପଚୟ ହେବ ତାହା ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ କରାଯିବ । ସେହିପରି ୧୨୦ ଦିନ ଓ ବିଶେଷକରି ୬ ମାସରୁ ଅଧିକ ସମୟ ବୃଦ୍ଧି ପ୍ରସ୍ତାବକୁ ସାଧାରଣ ପ୍ରକ୍ରିୟା ଭାବେ ନେବାକୁ ସରକାର ମନା କରିଛନ୍ତି । ଏଭଳି ପ୍ରସ୍ତାବଗୁଡ଼ିକୁ କଡ଼ା ଯାଞ୍ଚ ଅଧୀନରେ ରଖାଯିବ ।
ସରକାର ଆହୁରି ସ୍ପଷ୍ଟ କରିଛନ୍ତି ଯେ, କୌଣସି କର୍ମଚାରୀ ନୂତନ ସ୍ଥାନରେ ରିପୋର୍ଟ କରିଥିଲେ ମଧ୍ୟ ଯଦି ଡିଟେଲ୍ଡ ପୋଷ୍ଟିଂ ଅର୍ଡର ଜାରି ହୋଇନଥାଏ, ତେବେ ସମ୍ପୃକ୍ତ ବିଭାଗ କିମ୍ବା କଣ୍ଟ୍ରୋଲିଂ ଅଥରିଟି ସେହି କର୍ମଚାରୀଙ୍କ ସେବାକୁ ଅନ୍ତର୍ବର୍ତ୍ତୀ ସମୟରେ ଉପଯୋଗ କରିବାକୁ ପଡ଼ିବ । ଏହା ମାଧ୍ୟମରେ କାମ ନକରି ବେତନ ପାଇବା ପରିସ୍ଥିତିକୁ ରୋକିବା ଲକ୍ଷ୍ୟ ରହିଛି ।
ଅର୍ଥ ବିଭାଗ ସ୍ପଷ୍ଟ କରିଛି ଯେ ଭବିଷ୍ୟତରେ ଯୋଗଦାନ ସମୟ ବୃଦ୍ଧି ପ୍ରସ୍ତାବ ପଠାଇବା ବେଳେ ବିଳମ୍ବର କାରଣ, ଦାୟୀ ଅଧିକାରୀଙ୍କ ନାମ ଓ ସେମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ଦେବା ଅନିବାର୍ୟ ହେବ । ଏହି ସମସ୍ତ ତଥ୍ୟ ନଥିଲେ କୌଣସି ପ୍ରସ୍ତାବ ବିଚାରକୁ ନିଆଯିବ ନାହିଁ । ସରକାରଙ୍କ ଏହି ନୂତନ ନିର୍ଦ୍ଦେଶ ପ୍ରଶାସନିକ ଶୃଙ୍ଖଳାକୁ ସୁଦୃଢ଼ କରିବା ସହ ସରକାରୀ କାର୍ଯ୍ୟପ୍ରଣାଳୀରେ ଦାୟିତ୍ୱବୋଧ ବଢ଼ାଇବ ବୋଲି ମନେ କରାଯାଉଛି । ଏହା ମାଧ୍ୟମରେ ପୋଷ୍ଟିଂ ଓ ଯୋଗଦାନ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କମିବା ସହ ସରକାରୀ ଧନର ଅପଚୟ ରୋକାଯିବ ବୋଲି ଆଶା କରାଯାଉଛି ।







