
ଭୁବନେଶ୍ୱର: ଉତ୍ତର ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୋମବାର ସୁଦ୍ଧା ଏହା ଅବପାତରେ ପରିଣତ ହେବ । ୨୨ ତାରିଖରେ ଗଭୀର ଅବପାତ ରୂପ ନେବ । ଏହା ପୁଣି ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।ତେବେ ବାତ୍ୟା ରୂପ ନେବା ଆଶା କ୍ଷୀଣ । ଯଦି ସମୁଦ୍ରରେ ଅନୁକୂଳ ବାତବରଣ ରୁହେ, ତେବେ ଛୋଟ ବାତ୍ୟାରେ ପରିଣତ ହୋଇ ଦ୍ରୁତ ଗତିରେ ଦୁର୍ବଳ ହୋଇଯିବ ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ପାଣିପାଗ ବିଭାଗ କିନ୍ତୁ ଏ ନେଇ ରବିବାର ସୁଦ୍ଧା କୌଣସି ପୂର୍ବାନୁମାନ ଦେଇ ନାହିଁ । ଡକ୍ଟର ପଶୁପାଳକଙ୍କ ଆକଳନ କହୁଛି, ଗଭୀର ଅବପାତ ଗଞ୍ଜାମ-ଶ୍ରୀକାକୁଲମ କିମ୍ବା ପୁରୀ ଗଞ୍ଜାମ ଉପକୂଳ ଦେଇ ୨୩ କିମ୍ବା ୨୪ ତାରିଖ ବେଳକୁସ୍ଥଳଭାଗରେ ପ୍ରବେଶ କରିବା ସମ୍ଭାବନା ରହିଛି । ସମୁଦ୍ର ଜଳସ୍ତର ଗରମ ରହିଛି । ଏବଂ ଆର୍ଦ୍ରତା ବି ଅଧିକ ରହିଛି । କିନ୍ତୁ ପଶ୍ଚିମ ବଙ୍ଗୋପସାଗରରେ ପବନର ଚାପ କମ୍ ରହିଛି, ଯାହା ଅବପାତର ଶକ୍ତିବୃଦ୍ଧିକୁ ରୋକିପାରେ । ପାଣିପାଗ ବିଭାଗ କହୁଛି, ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ମଙ୍ଗଳବାର ଅର୍ଥାତ୍ ୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପଶ୍ଚିମ ଓଡ଼ିଶା ବ୍ୟତୀତ ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ହୋଇପାରେ । ୨୩ ତାରିଖ ଅର୍ଥାତ୍ ବୁଧବାର ଦିନ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ସବୁ ସ୍ଥାନକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଜଗତ୍ସିଂହପୁର, କଟକ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ । ବୁଧବାର କନ୍ଧମାଳ, ଗଜପତି, ଗଞ୍ଜାମ, ପୁରୀ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ବୋହିପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗୀର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଏହି ସବୁ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୨୪ ତାରିଖରେ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ଅତିରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ସେହିପରି ଏଥିସହ ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ଝଡ଼ ପବନ ସହ ବିଜୁଳି, ଘଡ଼ଘଡ଼ି ବହିବାର ସମ୍ଭାବନା ଅଛି ।
୨୫ ତାରିଖରେ ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରିର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ବାଲେଶ୍ୱର, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୬ ତାରିଖ ବେଳକୁ ସେପରି କିଛି ବଡ଼ ଧରଣର ବର୍ଷା ନାହିଁ କିନ୍ତୁ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।








