ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ ପୁଣି ଥରେ ନିଯୁକ୍ତି ପାଇଛନ୍ତି ଡ. ମୃତ୍ୟୁଞ୍ଜୟ ମହାପାତ୍ର । ସାଇକ୍ଲୋନମ୍ୟାନ୍ ଭାବେ ପରିଚିତ ତଥା ଓଡ଼ିଆ ପୁଅ ଶ୍ରୀ ମହାପାତ୍ର ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବିରେ କାର୍ୟ୍ୟ କରୁଥିଲେ । ତାଙ୍କ ନିଯୁକ୍ତି ଅବଧି ସରୁଥିବାରୁ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି ବ୍ୟାପାର କମିଟି ତାଙ୍କୁ ପୁନଃ ନିଯୁକ୍ତି ପ୍ରସ୍ତାବକୁ ମଞ୍ଜୁରି ଦେଇଛି । କେନ୍ଦ୍ର ପୃଥ୍ୱୀ ବିଜ୍ଞାନ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଆଇଏମ୍ଡିର ଡିଜି ଭାବେ ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ୟ୍ୟ କରିବେ ।
୬୦ ବର୍ଷୀୟ ଡ଼.ମହାପାତ୍ର ନିଜ କାର୍ୟ୍ୟକାଳରେ ଫାଇଲିନ, ତିତଲି ଓ ଲୁବନା ପରି ଅନେକ ବାତ୍ୟାର ମାର୍ଗ ସଠିକ୍ ଭାବେ ଆକଳନ କରିଥିଲେ । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ ଭୁବନେଶ୍ୱର ସ୍ଥିତ ଆଇଏମଡି କାର୍ୟ୍ୟାଳୟର ସାଇକ୍ଲୋନ ୱାର୍ଣ୍ଣିଂ ଡିଭିଜନରେ କାର୍ୟ୍ୟ କରୁଥିଲେ । ରାଜଧାନୀ ଦିଲ୍ଲୀ ସ୍ଥିତ ଆଇଏମଡି କାର୍ୟ୍ୟାଳୟକୁ ବଦଳି ହେବା ପରେ ସେ ମୁଖ୍ୟତଃ ବାତ୍ୟାଗୁଡ଼ିକର ମାର୍ଗର ସଠିକ୍ ଆକଳନ କରିବା ଏବଂ ଏସମ୍ପର୍କିତ ଅନ୍ୟ ତଥ୍ୟ ନିର୍ଦ୍ଧାରଣରେ ନିୟୋଜିତ ହୋଇଥିଲେ । ସେ ପ୍ରାୟ ୪୦ରୁ ଅଧିକ ବାତ୍ୟା ଉପରେ ନଜର ରଖିଥିଲେ ।ଗତ ୫ ବର୍ଷ ହେବ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଡିଜି ଭାବେ କାର୍ୟ୍ୟ ସମ୍ଭାଳି ଆସୁଛନ୍ତି। ପୁଣି ଆସନ୍ତା ଦୁଇ ବର୍ଷ ପାଇଁ ସେ କାର୍ୟ୍ୟ କରିବେ ।