ବିଜେଡ଼ିକୁ ନୂଆପଡ଼ା, ବିଜେପିକୁ କୋମନା, କଂଗ୍ରେସକୁ ଅର୍ଥ ଟେନ୍‌ସନ୍‌

ଭୁବନେଶ୍ୱର/ନୂଆପଡ଼ା : ଧିରେଧିରେ ନୂଆପଡ଼ା ଉପନିର୍ବାଚନ ମାହୋଲ ଜମିବାରେ ଲାଗିଲାଣି । ତିନି ଦଳର ନେତାମାନେ ଏବେ ଗ୍ରାଉଣ୍ଡ ଜିରୋକୁ ଯାଇ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି । ବିଜେଡ଼ି, ବିଜେପି ଓ କଂଗ୍ରେସ ପକ୍ଷରୁ ପଞ୍ଚାୟତମାନଙ୍କରେ କାର୍ଯ୍ୟାଳୟ ବି ଖୋଲିଗଲାଣି । ବିଧାୟକ ଓ ବରିଷ୍ଠ ନେତାମାନେ ଏବେ ସେଠାରେ ମଙ୍ଗ ଧରିଛନ୍ତି । କିଛି କିଛି ସ୍ଥାନରେ ଖନ୍ଦାଶାଳ ବି ଆରମ୍ଭ ହୋଇଗଲାଣି । ଆଉ ଦି ଚାରିଦିନ ମଧ୍ୟରେ ଗାଁ ଗାଁରେ ନିର୍ବାଚନୀ ଛୁଙ୍କର ବାସ୍ନା ମହକିବ ବୋଲି ଆକଳନ କରାଯାଉଛି । ଏସବୁ ଭିତରେ ନୂଆପଡ଼ା ଏନଏସି, ଖରିଆର ରୋଡ଼ ଏନଏସି ଓ ନୂଆପଡ଼ା ବ୍ଳକରେ ବିଜେପି ଅନ୍ୟ ଦୁଇ ଦଳ ଅପେକ୍ଷା ଶକ୍ତିଶାଳୀ ଥିବାବେଳେ କୋମନାରେ କିନ୍ତୁ ବିଜେପି ଝୁଣ୍ଟିଯାଇଛି । ସେପଟେ କଂଗ୍ରେସ ଉଭୟ ବ୍ଳକରେ ଭଲ ଟକ୍କର ଦେଉଥିବା ଲକ୍ଷ୍ୟ କରାଯାଉଛି ।
ନୂଆପଡ଼ାରେ ବୁଲିବା ବେଳେ ଆମେ ସ୍ଥାନୀୟ ଲୋକଙ୍କ ଠାରୁ ନିର୍ବାଚନର ହାଲଚାଲ ବିଷୟରେ ବୁଝିଥିଲୁ । ସାଧାରଣତଃ ସହରାଞ୍ଚଳ ଭୋଟରମାନେ ବିଜେପିକୁ ପସନ୍ଦ କରିଥା’ନ୍ତି । ଖରିଆର ରୋଡ଼ରେ ବିଜେପି ମଜବୁତ ସ୍ଥିତିରେ ରହିଥିବା ପରିଲକ୍ଷିତ ହୋଇଥିଲା । ନୂଆପଡ଼ା ଏନଏସିରେ ବି ବିଜେପି ସ୍ଥିତି ଭଲ ରହିଛି । ସେହିପରି ନୂଆପଡ଼ା ବ୍ଳକରେ ଅଭିନନ୍ଦନ ପଣ୍ଡା ଭଲ ଭୋଟ ପାଇଥିଲେ । ସେପଟେ ରାଜେନ୍ଦ୍ର ଢୋଲକିଆଙ୍କର ବି ଭଲ ସମର୍ଥନ ରହିଥିଲା । ରାଜେନ୍ଦ୍ରଙ୍କ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟମାନେ ଏବେ ବିଜେଡ଼ି ଛାଡ଼ି ବିଜେପି ପାଇଁ କାମ କରିବା ଆରମ୍ଭ କରିଦେଇଛନ୍ତି । ବିଶେଷକରି ଜୟଙ୍କ ମା’ କଳ୍ପନା ଢୋଲକିଆ ପ୍ରଚାର ମଇଦାନକୁ ଓହ୍ଲାଇ ସିମ୍ପାଥି ଭୋଟ୍‌ ସାଉଁଟିବାକୁ ଯୋଜନା କରିଛନ୍ତି । ଏହା କେତେକାଂଶରେ ଫଳପ୍ରଦ ହେଉଥିବା ମନେହେଉଛି । ଏହିସବୁ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ବି ଜନ ସମର୍ଥନ କମ୍‌ ନାହିଁ । ତେବେ ବିଜେଡ଼ି ସେହିସବୁ ସ୍ଥାନରେ ପଛରେ ରହିଥିଲେବି ସ୍ଥିତି ସୁଧାରିବାରେ ଲାଗିଛି । ଗତ କିଛିଦିନ ଧରି ବିଜେଡ଼ିର ସ୍ଥିତି ପୂର୍ବାପେକ୍ଷା ବଢୁଥିବାବେଳେ କଂଗ୍ରେସ କମୁଥିବା ମନେହେଉଛି ।
ଅପରପକ୍ଷରେ କୋମନାରେ କିନ୍ତୁ ବିଜେଡ଼ି ଅନ୍ୟ ଦୁଇ ଦଳ ଅପେକ୍ଷା ଆଗରେ ରହିଛି । ଯେଉଁଥିପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ କୋମନାରୁ ହିଁ ନିଜର ପ୍ରଚାର ଆରମ୍ଭ କରିବେ । ଅପରପକ୍ଷରେ ବିଜେପି ମଧ୍ୟ ଏବେ କୋମନା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି । ଗାଏମୋଟ୍‌ କହିଲେ ନୂଆପଡ଼ାରେ ଶକ୍ତି ସାଉଁଟିବା ପରେ ବିଜେପି ଏବେ କୋମନାରେ ସବୁ ଶକ୍ତି ଲଗାଇଦେବ । ନିର୍ବାଚନ ଆହୁରି ଅନେକ ଦିନ ବାକି ରହିଛି । କୋମନାରେ ବିଜେଡ଼ି ପରେ କଂଗ୍ରେସର ସ୍ଥିତି ଭଲ ରହିଛି । ସେଠାରେ ବିଜେପି ୩ ନମ୍ବରକୁ ଠେଲି ହୋଇଯାଇଥିଲେବି ଶାସକ ଦଳ ଏବେ ଗୋଟି ଚଳାଇବା ଆରମ୍ଭ କରିଦେଇଛି ।
ଏବେ ଟିକେ ନଜର ପକାଇବା ତିନି ଦଳର କ’ଣ ରହିଛି ଶକ୍ତି, କ’ଣ ରହିଛି ଦୁର୍ବଳତା । ଜୟ ଢୋଲକିଆଙ୍କର ବଳ ହେଉଛି ବିଜେପି । ଶାସକ ଦଳରୁ ଲଢ଼ିବା ତାଙ୍କର ସବୁଠାରୁ ବଡ଼ ଶକ୍ତି । ତେବେ ସିମ୍ପାଥି ଫ୍ୟାକ୍ଟର ଯେତିକି ରହିବା କଥା କିନ୍ତୁ ସେତିକି ରହିବ ନାହିଁ । ତେବେ ଦିବଂଗତ ବିଧାୟକଙ୍କ ପତ୍ନୀ ମଇଦାନକୁ ଓହ୍ଲାଇଥିବାରୁ ସିମ୍ପାଥି ଫ୍ୟାକ୍ଟର ଅଳ୍ପ କିଛି କାମ କରିପାରେ ବୋଲି ମନେ କରାଯାଇଛି । ରାଜେନ୍ଦ୍ର ଢୋଲକିଆଙ୍କର କଟ୍ଟର ସମର୍ଥକମାନେ ଜୟଙ୍କ ସହ ଅଛନ୍ତି । ନୂଆପଡ଼ା ବ୍ଳକ, ନୂଆପଡ଼ା ଏନଏସି, ଖରିଆର ରୋଡ଼ ଏନଏସିରେ ରାଜେନ୍ଦ୍ରଙ୍କ ଅନେକ ସମର୍ଥକ ଜୟଙ୍କୁ ସହଯୋଗ କରୁଛନ୍ତି । ବିଜେପି ମଧ୍ୟ ଫତୁଆ ଜାରି କରିଦେଇଛି । ପ୍ରଥମେ ଜୟଙ୍କୁ ନେଇ ଯେଉଁ ଅସନ୍ତୋଷ ରହିଥିଲା ବା ଭୋଟ୍‌ ବିଭାଜନ ନେଇ ମନେ କରାଯାଉଥିଲା ଆଜିକା ଦିନରେ ସେମିତି ସ୍ଥିତି ନାହିଁ । ବସନ୍ତ ପଣ୍ଡା, ଅଭିନନ୍ଦନ ପଣ୍ଡା, ପ୍ରସନ୍ନ ପାଢ଼ୀ ଓ ଯଦୁମଣି ପାଣିଗ୍ରାହୀ ଏବେ ପ୍ରଚାର ମଇଦାନରେ । ମନ୍ତ୍ରୀମାନେ ଏବେ ଜୋନ୍‌ ଦାୟିତ୍ୱ ସମ୍ଭାଳିବା ସହ ମାରାଥନ୍‌ ପ୍ରଚାର କରୁଛନ୍ତି ।
ସେହିପରି ଏବେବି ନୂଆପଡ଼ାରେ କଂଗ୍ରେସର ଏକ ମାହୋଲ ଅଛି । କାହିଁକିନା ଘାସିରାମଙ୍କର ୨୦ରୁ ୨୫ ହଜାର ପକେଟ୍‌ ଭୋଟ୍‌ ରହିଛି । ଆଦିବାସୀମାନେ ଯାହାଙ୍କୁ ଥରେ ନେତା ଭାବନ୍ତି ସେମାନେ ପ୍ରାୟତଃ ସେମାନଙ୍କ ସହ ରହନ୍ତି । ଯାହାକି ଘାସିରାମଙ୍କ ପାଇଁ ଫାଇଦା ହେଉଛି । ନିର୍ବାଚନ ପ୍ରଚାର ବେଳେ ଶହ ଶହ ଆଦିବାସୀ ଭାଇଭଉଣୀ ତାଙ୍କ ସହ ଯୋଶ୍‌ରେ ପ୍ରଚାରରେ ସାମିଲ୍‌ ହେଉଛନ୍ତି । ନୂଆପଡ଼ାର ସେ ମାଟିର ପୁଅ ବୋଲି ନ୍ୟାରେଟିଭ୍‌ କରି ପ୍ରଚାର ଜାରି ରଖିଛନ୍ତି । ଖାଲି ସେତିକିନୁହେଁ ଘାସିରାମ୍‌ ନୂଆପଡ଼ା ପାଇଁ ସ୍ୱତନ୍ତ୍ର ଭାବେ ଇସ୍ତାହାର ବା ଭିଜନ ଡକ୍ୟୁମେଣ୍ଟ କରିବାକୁ ଯାଉଛନ୍ତି । କିନ୍ତୁ କିଛି ସମୀକରଣ ନିଶ୍ଚିତ ଭାବେ ଘାସିରାମଙ୍କ ଟେନସନ ବଢ଼ାଇ ଦେଇଛି । ଗତ ନିର୍ବାଚନରେ ବିଜେଡ଼ିର ନିଲମ୍ବିତ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ତାଙ୍କୁ ସହଯୋଗ କରିଥିଲେ । ଏବେ ସେ ତାଙ୍କ ସହ ନାହାନ୍ତି । ଭକ୍ତବନ୍ଧୁ ଧରୁଆ ବି ଜଣେ ଆଦିବାସୀ ନେତା । ସେ ସ୍ୱାଧୀନରୁ ଲଢ଼ି ଘାସିରାମଙ୍କ ଭୋଟ କାଟିବାକୁ ଯୋଜନା କରିଛନ୍ତି । ୨୦୨୪ରେ ବିଜେପି ପ୍ରାର୍ଥୀଙ୍କୁ ବିରୋଧ କରି କିଛି ଆଶାୟୀ ନେତା ଓ ତାଙ୍କ କର୍ମୀ ଘାସିରାମଙ୍କୁ ହିଁ ଭିତିରିଆ ସମର୍ଥନ କରିଥିଲେ । କିନ୍ତୁ ଏବେ ସେମାନେ ଘାସିରାମଙ୍କ ସହ ନଥିବାରୁ ୨୦୨୪ ଭଳି ସେ ଭୋଟ୍‌ ସାଉଁଟି ପାରିବେ କି ନାହିଁ ତାହା ସମୟ ହିଁ କହିବ । ଗାଏମୋଟ୍‌ କହିଲେ କଂଗ୍ରେସରେ ଏବେ ଭକ୍ତ ଦାସ ଓ ଘାସିରାମ ହିଁ ଲଢେ଼ଇ କରୁଛନ୍ତି । କଂଗ୍ରେସ ଯାହା ବି ଭୋଟ୍‌ ପାଇବ କେବଳ ଭକ୍ତ ଓ ଘାସିରାମଙ୍କ ପାଇଁ ବୋଲି ଆମେ ଦେଖିବାକୁ ପାଇଥିଲୁ ।
ଏବେ ଆସିବା ବିଜେଡ଼ି ଆଡ଼କୁ । ପ୍ରାର୍ଥୀ ଚୟନ ବେଳଠାରୁ ବିଜେଡ଼ି ବ୍ୟାକ୍‌ ଫୁଟ୍‌ରେ ରହିଥିଲା । ତେବେ ସ୍ନେହାଙ୍ଗିନୀଙ୍କ ଶକ୍ତି ହେଉଛନ୍ତି ନବୀନ । ଏବେବି ନୂଆପଡ଼ାରେ ନବୀନଙ୍କ କ୍ରେଜ୍‌ ରହିଛି । ନବୀନଙ୍କ ପ୍ରତି ଭଲ ପାଇବା ବାରି ହେଉଥିଲା । ନବୀନ ପ୍ରଚାରକୁ ଆସିଲେ ଅତିକମ୍‌ରେ ଦଶ ପନ୍ଦର ହଜାର ଭୋଟ୍‌ ବିଜେଡ଼ିର ବଢ଼ିବ ବୋଲି ସେମାନେ ଅନୁମାନ କରୁଛନ୍ତି । ବିଜେଡ଼ିର ରଣନୀତି ସବୁବେଳେ ଅନ୍ୟମାନଙ୍କ ଠାରୁ ଆଗରେ । ବୁଥ୍‌ ୱାରୀ ଟିକିନିଖି ରଣନୀତିରେ ସେମାନେ ଓସ୍ତାଦ । ସାତ ଦିନ ତଳେ ବିଜେଡ଼ିକୁ ନେଇ ଆଶଙ୍କା ରହିଥିଲା । ସେମାନେ ଲଢେ଼ଇ କରିବେ ନା ନାହିଁ, ସେମାନେ ତିନି ନମ୍ବରର ରହିଯିବେ କି ? ଏମିତି ଅନୁମାନ କରାଯାଉଥିଲା । କିନ୍ତୁ ଆଜିକା ଦିନରେ ସ୍ଥିତି ବଦଳିଛି । ଗତ ତିନି ଦିନ ଧରି ବିଜେଡ଼ି ବଢ଼ିବାରେ ଲାଗିଛି । ସେମାନେ ସଂଗଠିତ ହୋଇ ଲଢୁଛନ୍ତି । ଦୁର୍ବଳତା ହେଉଛି ସେମାନେ ପୂର୍ବଭଳି ଶାସକ ଦଳରେ ନାହାନ୍ତି । ବିଗତ ଦିନରେ ଯେତକ ଉପନିର୍ବାଚନ ହୋଇଛି ସେଠାରେ ସିମ୍ପାଥି ଫ୍ୟାକ୍ଟର ଥିଲା । ଧାମନଗରକୁ ଛାଡ଼ିଦେଲେ ବାକି ବିଜେପୁର, ପଦ୍ମପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ପିପିଲିରେ ବିଜେଡ଼ି ବାଜିମାତ୍‌ କରିଥିଲେ । ଏବେ କିନ୍ତୁ ସେମାନେ ଶାସନରେ ନାହାନ୍ତି କିମ୍ବା ସିମ୍ପାଥି ଅର୍ଥାତ୍‌ ଦିବଂଗତଙ୍କ ପରିବାର ତାଙ୍କ ସହ ନାହାନ୍ତି । ପ୍ରସଙ୍ଗ ସେତେ ଗୁରୁତ୍ୱ ବହନ କରୁନି । ଏଠାରେ ଚିହ୍ନ ହିଁ ଗୁରୁତ୍ୱ ବହନ କରୁଛି । ପ୍ରାର୍ଥୀ ହିଁ ଗୁରୁତ୍ୱ ବହନ କରୁଛନ୍ତି । ଦାଦନ ସମସ୍ୟା, ବିକାଶକୁ ନେଇ ସେଭଳି ସାଧାରଣରେ ଆଲୋଚନା ହେଉନାହିଁ । ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମୁହାଁମୁହିଁ ହେବେ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବି ପ୍ରଚାରକୁ ଆସିବେ । ୮ ପଞ୍ଚାୟତ ଛତିଶଗଡ଼କୁ ଲାଗିଥିବାରୁ ବିଜେପି ଏଭଳି ରଣନୀତି କରିଛି । ସେପଟେ କହ୍ନେୟା କୁମାର, ସଚିନ ପାଇଲଟ କଂଗ୍ରେସ ପାଇଁ ମଇଦାନକୁ ଓହ୍ଲାଇବେ । ଯାହାକି ରାଜନୀତିକ ପାରଦକୁ ଢେ଼ର ବଢ଼ାଇଦେବ ।

  • Related Posts

    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading
    ନାବାଳିକାଙ୍କୁ ଗଣଦୁଷ୍କର୍ମ , ଦୁଇ ନାବାଳକଙ୍କୁ ଧରିଲା ପୁଲିସ

    କଟକ : କଟକର ବାଦାମବାଡ଼ିରେ ଏକ ଲଜ୍ଜାଜନକ କାଣ୍ଡ ଘଟିଛି । ଜଣେ ନାବାଳିକାଙ୍କୁ ଦୁଇ ଜଣ ନାବାଳକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ କେନ୍ଦ୍ର କରି ବାଦାମବାଡ଼ି ଥାନାରେ ମାମଲା ରୁଜୁ ପରେ ପୁଲିସ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ