
ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ବିକ୍ରମଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ ସମସ୍ତଙ୍କ ପାଇଁ ଦ୍ୱାର ଖୋଲା ରହିଛି। ଶ୍ରୀ ସାମଲ କହିଛନ୍ତି, ଗଞ୍ଜାମ ଜିଲ୍ଲା ସହିତ ସବୁ ଜାଗାରେ ଦଳର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟା କରାଯାଉଛି। ଆମେ ଚାହୁଁଛୁ ଅଧିକରୁ ଅଧିକ ଲୋକ ଆସି ଦଳ ସହିତ ଯୋଡି ହୁଅନ୍ତୁ ଓ କାମ କରନ୍ତୁ। ଟାଣୁଆ ନେତା ହୁଅନ୍ତୁ କି କାର୍ଯ୍ୟକର୍ତ୍ତା, ଯେ କେହି ବି ମିଶିବାକୁ ଚାହିଁବେ, ସେ ନେଇ ଦଳ ନିଷ୍ପତ୍ତି ନେବ। ସେହିପରି ବିକ୍ରମ ଆରୁଖ ଯୋଗଦେବା ସଂପର୍କରେ ଗଞ୍ଜାମର ବିଜେପି ନେତା ତଥା ରାଜ୍ୟର ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କୋକୁଳାନନ୍ଦ ମଲ୍ଲିକ କହିଛନ୍ତି, ଜଣେ ବି କାର୍ଯ୍ୟକର୍ତ୍ତା ଦଳକୁ ଆସିଲେ ସଂଗଠନ ସୁଦୃଢ଼ ହେବ। ଯଦି ଜଣେ ନେତା ଆସିବେ ତା’ହେଲେ ସଂଗଠନ ଆହୁରି ଅଧିକ ଦୃଢ଼ ହେବ। ତାଙ୍କର (ବିକ୍ରମ ଆରୁଖଙ୍କର) ବହୁତ ସମର୍ଥକ ଅଛନ୍ତି। ସେ ଯଦି ସମର୍ଥକଙ୍କ ସହିତ ଆସନ୍ତି, ତା’ହେଲେ ଗଞ୍ଜାମ ଜିଲ୍ଲାରେ ବିଜେପିର କଳେବର ବୃଦ୍ଧି ହେବ। ଗତ ନିର୍ବାଚନରେ ବିଜେପିକୁ ଗଞ୍ଜାମବାସୀ ଆଶୀର୍ବାଦ କରିଛନ୍ତି। ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଜିତିଛୁ। ଆଗାମୀ ନିର୍ବାଚନରେ ୧୩ଟି ଯାକ ଜିତିବୁ।
ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ବିଜେଡ଼ି ଭିତରେ ଅନେକ ଅସନ୍ତୁଷ୍ଟ ଅଛନ୍ତି। ସେମାନେ କିଛି କହିପାରୁନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ଆକୃଷ୍ଟ ହୋଇ ବିକଶିତ ଓଡ଼ିଶାର ଲକ୍ଷ୍ୟ ନେଇ ସେମାନେ ଆମ ଦଳକୁ ଆସିବାକୁ ଚାହୁଁଛନ୍ତି। କେବଳ ବିଜେଡି ନୁହେଁ, କଂଗ୍ରେସ ଦଳରୁ ମଧ୍ୟ ଅନେକ ନେତା ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି।




