ବିଦେଶରେ ଝଟକିବ ଆମ ସ୍ଥାପତ୍ୟ କଳା କ୍ବାଲାଲମ୍‌ପୁରରେ ଶୋଭାପାଇବ ଓଡ଼ିଶାରେ ନିର୍ମିତ ୨୫ଟନ୍‌ର ପ୍ରସ୍ତର ବୁଦ୍ଧ ମୂର୍ତ୍ତି

ଭୁବନେଶ୍ବର,24/09:ବିଦେଶରେ ଝଟକିବ ଓଡ଼ିଆ ସ୍ଥାପତ୍ୟ କଳା। ଓଡ଼ିଆ ଶିଳ୍ପୀର ହାତଗଢ଼ା ୨୫ଟନ୍‌ ଓଜନର ବିଶାଳ ବୁଦ୍ଧ ମୂର୍ତ୍ତି ମାଲେସିଆର କ୍ବାଲାଲମ୍‌ପୁରରେ ଶୋଭାପାଇବ। ଐତିହାସିକ ବୌଦ୍ଧ ପୀଠ ଧଉଳିଗିରି ପାଦଦେଶରେ ନିର୍ମାଣ କରାଯାଉଥିବା ଏହି ବୁଦ୍ଧ ମୂର୍ତ୍ତି ମାଲେସିଆ ଯିବା ପାଇଁ ପ୍ରସ୍ତୁତ ହୋଇରହିଛି। ଏହି ବିଶାଳ ବୁଦ୍ଧ ମୂର୍ତ୍ତି ଧଉଳିରୁ କଣ୍ଟେନର୍‌ ଯୋଗେ କୋଲକାତା ଯିବା ପରେ ସେଠାରୁ ଜାହାଜରେ ମାଲେସିଆ ନିଆଯିବ। ଓଡ଼ିଶାର ସ୍ଥାପତ୍ୟ ଶିଳ୍ପୀ ଗୁରୁ ପଦ୍ମଶ୍ରୀ ପ୍ରଭାକର ମହାରଣା ଓ ତାଙ୍କ ଅନୁଜ ଜାତୀୟ ପୁରସ୍କାରପ୍ରାପ୍ତ ଶିଳ୍ପୀ ରତ୍ନାକର ମହାରଣାଙ୍କ ତତ୍ତ୍ବାବଧାନରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। ଧଉଳି ପାଦଦେଶରେ କୋଣାର୍କ କଳାର ୮ଜଣ ଶିଳ୍ପୀ ୪ ବର୍ଷ କାଳ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି। ରାଜସ୍ଥାନରୁ ଅଣାଯାଇଥିବା ୪୦ ଟନ୍‌ ଓଜନର ବିଶାଳ ନିର୍ଜୀବ ପାଷାଣ (ସ୍ୟାଣ୍ଡ୍ ଷ୍ଟୋନ୍)ରେ ଜୀବନ ଦେଇଛନ୍ତି ଓଡ଼ିଆ ଶିଳ୍ପୀକୂଳର ନୂଆପିଢ଼ିର ଦାୟାଦମାନେ। ୪୦ଟନ୍‌ର ବିଶାଳ ପଥରରେ ଓଡ଼ିଆ ପୁଅର ନିହାଣ ଖୋଦେଇ କରିଛି ତପସାଧନାରତ ବୁଦ୍ଧଙ୍କ ମୂର୍ତ୍ତି, ଯାହାକୁ ଦେଖିଲେ ଆଖି ଲାଖିରହୁଛି ଏବଂ ଲାଗୁଛି ‌ଯେମିତି ଜୀବନ୍ତ ବୃଦ୍ଧ ଧ୍ୟାନମଗ୍ନ ଅଛନ୍ତି। ଏହି ମୂର୍ତ୍ତି ସହ ରହିଛି ବୁଦ୍ଧଙ୍କ ପରମ ଶିଷ୍ୟ ଅବୋଲକେଶରା, ସାରୀପୁତ୍ତ ଓ ମଙ୍ଗଳ ପୁତ୍ରଙ୍କ ପାଷାଣ ପ୍ରତିମା‌। ସେହିଭଳି ମୂର୍ତ୍ତିର ପାଦ‌ଦେଶରେ ଶୋଭା ପାଇବ ସିଂହ, ହାତୀ, ହରିଣ ଓ ପୂଜାରିଣୀ ଆଦି ସୁନ୍ଦର ସୁନ୍ଦର ପ୍ରସ୍ତର ପ୍ରତିମା। ମୂର୍ତ୍ତି ସବୁ ନିର୍ମାଣ ସରିଛି ଏବଂ ପରିବହନ ପାଇଁ ପ୍ରସ୍ତୁତି ବି ସରିଛି।

ଏନେଇ ପଦ୍ମଶ୍ରୀ ପ୍ରଭାକର କୁହନ୍ତି ଓଡ଼ିଆ ଶିଳ୍ପୀଙ୍କର କଳା ନୈପୁଣ୍ୟ ବହୁ ପୁରାତନ କାଳରୁ ବିଶ୍ବରେ ପ୍ରଶଂସିତ ହୋଇଆସୁଛି। ସେ ଓ ତାଙ୍କ ଟିମ୍‌ ଏହା ପୂର୍ବରୁ ବହୁ ମୂର୍ତ୍ତି ବିଦେଶକୁ ପଠାଇ ଓଡ଼ିଆ କଳାର ପ୍ରଶଂସା ସାଉଁଟିଛନ୍ତି। ଏକଦା ତାଇୱାନ୍‌କୁ ସେ ୨୦ଫୁଟ୍‌ ଉଚ୍ଚର ବିଶାଳ ବୁଦ୍ଧ ମୂର୍ତ୍ତି ନିର୍ମାଣ କରି ପଠାଇଥିଲେ। ସେହିଭଳି ଜାପାନକୁ ମଧ୍ୟ ସେ ୩ଥର ଏଭଳି ବିଶାଳ ବୁଦ୍ଧ ମୂର୍ତ୍ତି ତିଆରି କରି ପଠାଇଛନ୍ତି। ଭୁଟାନକୁ ତ ବହୁତ ମୂର୍ତ୍ତି ପଠାଯାଇଛି। ଭାରତର ଆସାମ, ହିମାଚଳ ପ୍ରଦେଶରେ ମଧ୍ୟ ତାଙ୍କ ହାତ ତିଆରି ବୁଦ୍ଧ ମୂର୍ତ୍ତି ବହୁ ଜାଗାରେ ଶୋଭାପାଉଛି। ମାଲେସିଆରୁ ଏହି ମୂର୍ତ୍ତି ପାଇଁ ଆସିଥିବା ବରାଦ ବାବଦରେ ସେ କହିଛନ୍ତି ଯେ ବିଶ୍ବର ବୌଦ୍ଧଭିକ୍ଷୁଙ୍କ ସଂଗଠନ ତାଙ୍କୁ ଏହି କାମ ପାଇଁ ମନୋନୀତ କରିଛି। ପୂର୍ବରୁ ବୌଦ୍ଧ ସନ୍ୟାସୀଙ୍କ ସଂଗଠନ(‌ମୋନାଷ୍ଟେରି) ତାଙ୍କ କଳାକୃତିର ପ୍ରମାଣ ପାଇସାରିଛି। ତେଣୁ ମାଲେସିଆରେ ପ୍ରତିଷ୍ଠା ହେଉଥିବା ଏହି ବୁଦ୍ଧ ମୂର୍ତ୍ତି ପାଇଁ ସେ ବଛା ହୋଇଥିଲେ। ଏଥିପାଇଁ ସେ ଗର୍ବ ଅନୁଭବ କରନ୍ତି। ମୂର୍ତ୍ତି ଗଢ଼ିବାରେ ତାଙ୍କ ଶିଷ୍ୟ ବା ସାଥୀ ଶିଳ୍ପୀମାନେ ଯେଉଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି, ସମସ୍ତଙ୍କୁ ଅନ୍ତରରୁ ଧନ୍ୟବାଦ ଜଣାଉଛନ୍ତି ବୋଲି ପଦ୍ମଶ୍ରୀ ପ୍ରଭାକର କହିଛନ୍ତି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ