
ଭୁବନେଶ୍ୱର: ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଗତକାଲି ସିବିଆଇ ତାଙ୍କର ଡ୍ରାଇଭରମାନଙ୍କ ତାଲିକା ମାଗିଥିଲାବେଳେ ଆଜି ଖୋଦ ତାଙ୍କୁ ସିବିଆଇ ସମନ କରିଛି ।ସିବିଆଇ ଅଫିସରେ ହାଜର ହେବାକୁ ତାଙ୍କୁ ସମନ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଏକ ମର୍ସିଡିଜ କାରରୁ ୧୦ ଲକ୍ଷ ଉଦ୍ଧାର ହେବା ଘଟଣାରେ ତାଙ୍କୁ ସମନ କରାଯାଇଛି ।ଗତ ୧୧ ତାରିଖ ଦିନ ୧୦ଟାରେ ହାଜର ହେବାକୁ ସିବିଆଇ ତାଙ୍କୁ ସମନ କରିଥିଲା । ଏ ସମ୍ପର୍କିତ ଏକ ଚିଠି ସାମନାକୁ ଆସିଛି । ତେବେ ୧୧ ତାରିଖ ଦିନ ସେ ସିବିଆଇରେ ହାଜର ହୋଇଛନ୍ତି କି ନାହିଁ ସେନେଇ କିଛି ଜଣାପଡ଼ିନାହିଁ । ତେବେ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାନ୍ତି ବିଷ୍ଣୁପଦ।
ଗତ ସପ୍ତାହରେ ବ୍ରିଜ୍ ଆଣ୍ଡ ରୁଫ ଇଣ୍ଡିଆ କମ୍ପାନୀ ଲାଂଚ କାରବାର ମାମଲାରେ ସିବିଆଇ ଆଜି ଆଇଏଏସ୍ ଶ୍ରୀ ସେଠୀଙ୍କ ଡ୍ରାଇଭରମାନଙ୍କ ତାଲିକା ମାଗିଛି। ଶ୍ରୀ ସେଠୀ ଯେଉଁସବୁ ବିଭାଗ ଦାୟିତ୍ୱରେ ରହିଛନ୍ତି ଓ ତାଙ୍କ ସହ ଯେଉଁ ଡ୍ରାଇଭରମାନେ ରହିଛନ୍ତି ସେମାନଙ୍କର ସମସ୍ତଙ୍କର ନାମ, ଠିକଣା, ମୋବାଇଲ ନମ୍ବର ଆଦି ଦେବା ପାଇଁ ସିବିଆଇ ଚିଠି ଲେଖିଛି। ଏହା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ ସିବିଆଇ ଦର୍ଶାଇଛି।
ସିବିଆଇ ଡିସିପି ଅଜିତ୍ କୁମାର ପାଣ୍ଡେ ଏନେଇ ରାଜ୍ୟ ସରକାରଙ୍କୁ ଇ-ମେଲ୍ ମାଧ୍ୟମରେ ଅବଗତ କରିବା ସହ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଏଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।




