
ରାଉରକେଲା: ପାନପୋଷ ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଓ ଅପରାଧୀ ସଂଗଠିତ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରକାଶ ପାଶ୍ୱାନ ପୁଲିସ ପଞ୍ଝାରେ ପଡ଼ିଥିବା ସୂଚନା ମିଳିଛି। ବିହାର ସମସ୍ତିପୁରରେ ସେ ଆତ୍ମଗୋପନ କରିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଧରିଥିବା ଚର୍ଚ୍ଚା ହେଉଛି। ମାତ୍ର ପୁଲିସ ଏ ବାବଦରେ ପାଟି ଫିଟାଉନାହିଁ।
ଗତ ୧୪ ତାରିଖରେ ପାନପୋଷ ସର୍କିଟ ହାଉସ୍ରୁ ୭ଜଣ ଅଭିଯୁକ୍ତ ଗିରଫ ହେବା ସହିତ ୪ଟି ବନ୍ଧୁକ, ୯ ରାଉଣ୍ଡ ଗୁଳି ଓ କାର ଜବତ କରିଥିଲା। ତେବେ ଏସବୁ କାରବାରରେ ବିଜେପିରୁ ବହିଷ୍କୃତ ତଥା ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଥିଲା। ତେଣୁ ପୁଲିସ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଜେରା କରିବା ପରେ ସବୁ ସତ କଥା ପଦାରେ ପଡ଼ି ଯାଇଥିଲା। ପ୍ରକାଶ ଅପରାଧୀମାନଙ୍କୁ ଏକଜୁଟ କରି ସହରରେ ବଡ଼ଧରଣର ଅପରାଧ ଘଟାଇବାକୁ ଯୋଜନା କରୁଥିବା ଜଣାପଡ଼ିଥିଲା। ତେଣୁ ପ୍ରକାଶ ପୁଲିସ ତାକୁ ଗିରଫ କରିବାକୁ ଯୋଜନା
କରିଥିଲା। କିନ୍ତୁ ଗତ ୧୯ ତାରିଖରୁ ସେ ସହରରୁ ଚମ୍ପଟ୍ ମାରିଥିଲା। ତାକୁ ଧରିବା ପାଇଁ ପୁଲିସର ୪ଟି ଟିମ ରାଜ୍ୟ ବାହାରେ ଡେରା ପକାଇଥିଲେ। ପ୍ରକାଶ ବିହାରର ସମସ୍ତିିପୁରରେ ଆତ୍ମଗୋପନ କରିଥିବା ପୁଲିସକୁ ସୂଚନା ମିଳିଥିଲା। ପୁଲିସ ଆଜି ରାତିରେ ତାକୁ କାବୁ କରିଥିବା ସୂଚନା ମିଳିଛି। ଆସନ୍ତାକାଲି ତାକୁ ରାଉରକେଲା ଅଣାଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ଘଟଣା ସମ୍ପର୍କରେ ରାଉରକେଲା ଏସ୍ପିଙ୍କ ସହିତ ଯୋଗାଯୋଗ କରାଯିବାରୁ ‘ସଠିକ୍ ସମୟରେ ଗଣମାଧ୍ୟମକୁ ସଠିକ ଖବର ଦିଆଯିବ’ ବୋଲି ସେ କହି ସିଧାସଳଖ ଉତ୍ତରକୁ ଏଡ଼ାଇ ଯାଇଥିଲେ।




