
ଭୁବନେଶ୍ୱର : ଗୁରୁବାର ଦିନ ନୂଆଦିଲ୍ଲୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଭେଟି ରାଜ୍ୟର ବିକାଶ ସମ୍ବନ୍ଧୀୟ ବିଷୟ ଉପରେ ଆଲୋଚନା କରିଛନ୍ତି । ଏହି ସାକ୍ଷାତ ସମୟରେ ରାଜ୍ୟପାଳ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ସେଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହାସହ, ଓଡ଼ିଶା ଲୋକ ଭବନକୁ ନିକଟରେ ମିଳିଥିବା ‘ଆଇଜିବିସି (IGBC) ପ୍ଲାଟିନମ୍ ସାର୍ଟିଫିକେସନ୍’ ବିଷୟରେ ମଧ୍ୟ ରାଜ୍ୟପାଳ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆଲୋଚନାରେ ରାଜ୍ୟର ବିକାଶ ଏବଂ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ବନ୍ଧୀୟ ପ୍ରସଙ୍ଗ ସ୍ଥାନ ପାଇଥିଲା । ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ସ୍ମାରକ ଆଦାନପ୍ରଦାନ ହୋଇଥିଲା ।







