
ମତ୍ସ୍ୟ ସେବା କ୍ୟାଡ଼ର ପଦବୀ ବୃଦ୍ଧି
ନୂଆଗଡ଼ ମତ୍ସ୍ୟ ବନ୍ଦର ବିଡ୍କୁ ମଞ୍ଜୁରୀ
ଭୁବନେଶ୍ୱର, ୧୩ ।୧୦ : ଯୁବକ ଯୁବତୀଙ୍କୁ ଦକ୍ଷ କରିବା ପାଇଁ ମୋହନ ସରକାର ଦକ୍ଷତା ବିକାଶ ଯୋଜନା ଆରମ୍ଭ କରିବେ । ୪.୨୦ ଲକ୍ଷ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୬-୨୭ରୁ ୨୦୨୮-୨୯ ଅବଧି ପାଇଁ ଏହି ବ୍ୟୟବରାଦ କରାଯାଇଛି । ୧.୧୭ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ସଂଯୁକ୍ତ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ପ୍ରଦାନ କରିବା ସହ ୩ ଲକ୍ଷ ଯୁବକ ଯୁବତୀଙ୍କୁ ଏଆଇ, କ୍ଳାଉଡ଼ କମ୍ପ୍ୟୁଟିଂ, ଡାଟା ଆନାଲିଟକ୍ସ ଓ ସାଇବସର ସୁରକ୍ଷା ଆଦି ସଂକ୍ରାନ୍ତୀୟ ପ୍ରଶିକ୍ଷଣ ଦିଆଯିବ ।
ପୁରୀ ଜିଲ୍ଲା ଅସ୍ତରଙ୍ଗର ନୂଆଗଡ଼ରେ ମତ୍ସ୍ୟ ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ ପାଇଁ ଆର୍ଥିକ ବିଡ୍କୁ ଅନୁମୋଦନ କରାଯାଇଛି । ଏହାର ନିର୍ମାର ଖର୍ଚ୍ଚ ୧୩୩.୮୧ କୋଟି ରହିଛି । ଆଇଆଇଟି ମାଡ୍ରାସର ବୈଷୟିକ ସହାୟତାରେ ଚବିଶ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସାରିବାକୁ ଯୋଜନା କରାଯାଇଛି । ଏହାଦ୍ୱାରା ୩୫ ହଜାର ମତ୍ସ୍ୟଜୀବୀ ଉପକୃତ ହୋଇପାରିବେ ।
ଓଡିଶା ଅଧସ୍ତନ ମତ୍ସ୍ୟ ସେବା କ୍ୟାଡ଼ରର ପୁନର୍ଗଠନ କରାଯାଇ ପଦବୀ ବୃଦ୍ଧି କରାଯାଇଛି । ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୪୪୫ରୁ ୭୭୪କୁ ବୃଦ୍ଧି କରାଯାଇଛି । ଅତଏବ ୩୨୯ଟି ନୂଆ ପଦବୀ ସୃଷ୍ଟିହୋଇଛି । ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୧୨୭ରୁ ୨୨୪କୁ ବୃଦ୍ଧି କରାଯାଇଥିବାବେଳେ ଦରମାସ୍ତର ଲେଭଲ-୪ରୁ ଲେଭଲ-୯କୁ ବୃଦ୍ଧି କରାଯାଇଛି । ସେହିପରି କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦବୀ ୩୧୮ରୁ ୫୫୦କୁ ବୃଦ୍ଧି କରାଯିବା ସହ ସେମାନଙ୍କ ଦରମା ସ୍ତର ଲେଭଲ-୩ରୁ ଲେଭଲ-୫କୁ ବୃଦ୍ଧି କରାଯାଇଛି ।








