ମୋହନଙ୍କୁ ଏମିତି କହିଲେ ନବୀନ

ଭୁବନେଶ୍ୱର : ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ରାଜନୈତିକ ସ୍ୱରକୁ ଛଡ଼ାଇ ନେଉଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛି । ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍‌’ ଆମ ଲୋକଙ୍କର, ବିଶେଷ କରି ଭବିଷ୍ୟତ ପିଢ଼ିର ରାଜନୈତିକ ଅଧିକାରକୁ ହ୍ରାସ କରିବାକୁ ଚାହୁଁଛି । ଯଦି ଆମେ ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍‌’କୁ ସମର୍ଥନ କରୁ, ତେବେ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଆଲୋଚନା କାଳରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ସେ କହିଛନ୍ତିଯେ, ମୁଁ ଚିଠିରେ କରିଥିବା ଅନୁରୋଧ ଅନୁଯାୟୀ ସରକାର ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌?’ ଉପରେ ଆଲୋଚନା କରିବା ପାଇଁ ଗୃହର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ତେବେ, ସେହି ବିଷୟକୁ ଆସିବା ପୂର୍ବରୁ, ଆଜି ଆମ ରାଜ୍ୟରେ ମହିଳାମାନଙ୍କ ଅଧିକାର ଏବଂ ସମ୍ମାନ ସହ ଜଡ଼ିତ ଏକ ଗମ୍ଭୀର ବିଷୟ ଉଠାଇବାକୁ ଯାଇ ମୁଁ ଅତ୍ୟନ୍ତ ମର୍ମାହତ । ଓଡ଼ିଶାର ମୁଣ୍ଡ ଆଜି ଲଜ୍ଜାରେ ନଇଁ ଯାଉଛି । ଜଣେ ମହିଳାଙ୍କ ମୃତ୍ୟୁ ପ୍ରମାଣିତ କରିବା ଏବଂ ତାଙ୍କର ପ୍ରାପ୍ୟ ପାଇବା ପାଇଁ ପରିବାର ଲୋକଙ୍କୁ ମହିଳାଙ୍କ କଙ୍କାଳ କବରରୁ ଖୋଳି ବାହାର କରି ବ୍ୟାଙ୍କକୁ ନେବାକୁ ପଡ଼ିଛି ।
ଆଜି ଆମ ମହିଳାମାନଙ୍କର ଏ ହେଉଛି ସ୍ଥିତି । ଏହା ହିଁ ‘ନ୍ୟୁୟର୍କ ପୋଷ୍ଟ’ ଏବଂ ‘ବିବିସି’ ଓଡ଼ିଶା ବିଷୟରେ ରିପୋର୍ଟ କରିଛନ୍ତି ଏବଂ ସାରା ବିଶ୍ୱ ଆମ ବିଷୟରେ ଏହା ହିଁ ପଢୁଛି । ବ୍ୟାଙ୍କିଙ୍ଗ୍‌ ସେବା କେନ୍ଦ୍ରୀୟ ବିଷୟ ହୋଇଥିବା ବେଳେ ‘ଡବଲ୍‌ ଇଞ୍ଜିନ୍‌ ସରକାର’ରେ ଗୋଟେ ସମ୍ବେଦନହୀନ ରାଜ୍ୟ ସରକାର ଓଡ଼ିଶାର ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଓଡ଼ିଶା ଇତିହାସରେ ଏଭଳି ଅମାନୁଷିକ ଶାସନ କେବେ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଉପରେ ଚିନ୍ତା ପ୍ରକଟ କରି ଓଡ଼ିଶା ନଆସିବା ପାଇଁ ନିଜ ନାଗରିକମାନଙ୍କୁ ଏକ ପରାମର୍ଶ ଜାରି କରିବାକୁ ପଡ଼ିଛି ।

ରାଜ୍ୟରେ ଥିବା ବିଜେପି ସରକାରଙ୍କ ମହିଳାଙ୍କ ସମ୍ମାନ ଏବଂ ସଶକ୍ତିକରଣ ବିଷୟରେ କହିବାର କୌଣସି ଅଧିକାର ନାହିଁ । ଶାସନ କେବଳ ମିଛ ପ୍ରଚାର ଏବଂ ଦେଖାଣିଆ ପ୍ରଦର୍ଶନରେ ସୀମିତ ହୋଇ ରହିଛି । ମୁଖ୍ୟମନ୍ତ୍ରୀ କୌଣସି ବିବୃତ୍ତି ଦେବା ପୂର୍ବରୁ ନିଜର ଆତ୍ମସମୀକ୍ଷା କରିବା ଉଚିତ । ଏପରି ଦୁଃଖଦ ଓ ଲଜ୍ଜାଜନକ ଘଟଣା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଘଟିବା ଓଡ଼ିଶାର ଶୋଚନୀୟ ସ୍ଥିତିର ଜ୍ୱଳନ୍ତ ଉଦାହରଣ ।
ସମ୍ବିଧାନ ସଂଶୋଧନ ବିଲ୍‌ ପ୍ରସଙ୍ଗ କଥା ଯଦି ଉଠାଇବା, ତେବେ ଏଠାରେ ଦୁଇଟି ବିଷୟ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି । ପ୍ରଥମଟି ହେଉଛି ‘ମହିଳା ସଂରକ୍ଷଣ ବିଲ୍‌’; ଯାହା ୨୦୨୩ରେ ସଂସଦରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା । ବିଜେଡି ସଂସଦରେ ଏହି ବିଲ୍‌କୁ ଦୃଢ଼ ସମର୍ଥନ କରିଥିଲା ଏବଂ ଆଜି ମଧ୍ୟ ଆମେ ଦାବି କରୁଛୁ ଏହାକୁ ତୁରନ୍ତ ଲାଗୁ କରାଯାଉ ।
ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ସମସ୍ତ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ କାର୍ଯ୍ୟକାରୀ କରିଥିଲା । ୨୦୧୧ ମସିହାରେ ମୋ ସରକାର ଏହାକୁ ୫୦%କୁ ବୃଦ୍ଧି କରିଥିଲେ । ଆମେ ୨୦୧୯ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ମଧ୍ୟ ୩୩% ମହିଳାଙ୍କୁ ଟିକେଟ୍‌ ଦେଇଥିଲୁ । ବିଜେପି କହିପାରିବ କି ସେମାନେ ସମାନ କାର୍ଯ୍ୟ କରିଛନ୍ତି? ମହିଳାଙ୍କ ଅଧିକାର ବିଷୟରେ କେବଳ ବଡ଼ ବଡ଼ କଥା କହିବା ଏବଂ ଜନସାଧାରଣଙ୍କୁ ଭଣ୍ଡାଇବା ପାଇଁ ମିଛ କାହାଣୀ ଗଢ଼ିବା ବ୍ୟତୀତ ଓଡ଼ିଶାରେ ବିଜେପି ଆଉ କିଛି କରିନାହିଁ । ମୁଁ ପୁଣି ଥରେ ମନେ ପକାଇ ଦେଉଛି ଯେ, ଲୋକଙ୍କୁ ସବୁବେଳେ ବୋକା ବନାଯାଇ ପାରିବ ନାହିଁ ।
ସଂସଦରେ ପାରିତ ହୋଇସାରିଥିବା ‘ମହିଳା ସଂରକ୍ଷଣ ବିଲ୍‌’କୁ ପୁଣି ‘ସୀମା ପୁନଃନିର୍ଦ୍ଧାରଣ’ ସହିତ ଯୋଡ଼ିବା ହେଉଛି ବିନା ଆଲୋଚନାରେ ସୀମା ନିର୍ଦ୍ଧାରଣକୁ ଲୋକଙ୍କ ଉପରେ ଲଦି ଦେବାର ଏକ ଗୋପନୀୟ ଏବଂ ହୀନ ଚକ୍ରାନ୍ତ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ମୋର ଚିଠି ଏବଂ ଓଡ଼ିଶାର ସମସ୍ତ ୨୧ଜଣ ସାଂସଦଙ୍କୁ ମୋର ନିବେଦନ ବିଜୁ ଜନତା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି ।
ହେଲେ ଏହା ଗମ୍ଭୀର ଚିନ୍ତାର ବିଷୟଯେ, ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ଏବଂ ରାଜନୈତିକ ସ୍ୱରକୁ ଛଡ଼ାଇ ନେଉଥିବା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେପି ଭ୍ରମାତ୍ମକ ତଥ୍ୟ ପ୍ରସାର କରୁଛି । ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍‌’ ଆମ ଲୋକଙ୍କର, ବିଶେଷ କରି ଭବିଷ୍ୟତ ପିଢ଼ିର ରାଜନୈତିକ ଅଧିକାରକୁ ହ୍ରାସ କରିବାକୁ ଚାହୁଁଛି । ମୁଁ ପୁଣି ଦୋହରାଉଛି, ଯଦି ଆମେ ଏହି ‘ସୀମା ପୁନଃନିର୍ଦ୍ଧାରଣ ବିଲ୍‌’କୁ ସମର୍ଥନ କରୁ, ତେବେ ଇତିହାସ ଆମକୁ କେବେ କ୍ଷମା କରିବ ନାହିଁ ।
ଓଡ଼ିଶାବାସୀଙ୍କୁ ମୁଁ ଭରସା ଦେଉଛି । ମୁଁ ଥିଲା ପର୍ଯ୍ୟନ୍ତ ଓଡ଼ିଶାକୁ ତା’ର ହକ୍‌ରୁ କେହି ବଞ୍ଚିତ କରି ପାରିବ ନାହିଁ । ଓଡ଼ିଶାର ବିଜେପି ବିଧାୟକମାନେ ମହିଳାମାନଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ୍‌ କରନ୍ତୁ ବୋଲି ନବୀନ କହିଥିଲେ ।

  • Related Posts

    ଭୋଟ୍ ଦେଇସାରିବା ପରେ ବି ପାଟି ଖୋଲୁ ନାହାନ୍ତି ଭୋଟର!

    କୋଲକାତା:,30/04: ପଶ୍ଚିମବଙ୍ଗ ବିଧାନସଭା ଅନ୍ତିମ ପର୍ଯ୍ୟାୟ ମତଦାନ ପରେ ବୁଥ୍ ବାହୁଡ଼ା ମତ (ଏକ୍ସିଟ୍ ପୋଲ୍) ରିପୋର୍ଟ ପ୍ରକାଶ ପାଇ ସାରିଛି । ଅଧିକାଂଶ ମତ ବିଜେପି ସପକ୍ଷରେ ଯାଇଛି । ବିଜେପି କ୍ଷମତାକୁ ଆସିବାର ସମ୍ଭାବନା ଦେଖା ଦେଇଛି ।…

    Continue reading
    ବଙ୍ଗରେ ଏମିତି କଲେ ମମତା ସେନା

    ଭୁବନେଶ୍ୱର : ମେ’ ୪ରେ ବାହାରିବ ପଶ୍ଚିମବଙ୍ଗ ନିର୍ବାଚନ ଫଳ । ଏହା ପୂର୍ବରୁ ଏକଜିଟ୍‌ ପୋଲ୍‌ ଆସିଯାଇଛି । ୪ ଏକଜିଟ୍‌ ପୋଲରେ ମମତା ବାନାର୍ଜୀଙ୍କ ଟିଏମସି ହାରିଯିବ ବୋଲି କୁହାଯାଇଥିବାବେଳେ ଆଉ କିଛି ଏକଜିଟ୍‌ ପୋଲରେ ମମତା ଜିତିବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା