ରାଜ୍ୟର ଗାଡ଼ିଚାଳକ ଓ ମାଲିକମାନେ ସାବଧାନ.. ଏଣିକି

ଭୁବନେଶ୍ୱର:ରାଜ୍ୟର ଗାଡ଼ିଚାଳକ ଓ ମାଲିକମାନେ ସାବଧାନ। ଯଦି ଆପଣଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନାହିଁ, ତାକୁ ତୁରନ୍ତ ଠିକ୍ କରାଇ ନିଅନ୍ତୁ ନଚେତ୍ ରାସ୍ତାରେ ଗାଡ଼ିକୁ ଚଳାନ୍ତୁ ନାହିଁ। ଏଣିକି କେବଳ ଜୋରିମାନା ବା ଚାଲାଣ କାଟି ଆପଣଙ୍କ ଗାଡ଼ିକୁ ଛାଡ଼ି ଦିଆଯିବ ନାହିଁ ବରଂ ସିଧାସଳଖ ଗାଡ଼ିକୁ ଜବତ କରାଯିବ। ଏପରିକି ଯଦି କୌଣସି ଏନଫୋର୍ସମେଣ୍ଟ ଅଫିସର ଆପଣଙ୍କ ଗାଡ଼ିକୁ କେବଳ ଚାଲାଣ୍ କାଟି ଛାଡ଼ି ଦେବେ, ତାଙ୍କ ବିରୁଦ୍ଧରେ ବି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଏଭଳି କିଛି ଢଙ୍ଗରେ ଚେତାବନୀ ଜାରି କରିଛନ୍ତି ରାଜ୍ୟ ପରିବହନ କମିଶନର।

ରାଜ୍ୟ ପରିବହନ କମିଶନର ଜୁଲାଇ ୬ତାରିଖରେ ଜାରି କରିଥିବା ସର୍କୁଲାରରେ ୧୫ଟି ପ୍ରମୁଖ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଚାଲାଣ କାଟି ଛାଡ଼ି ଦିଆଯାଉଥିବାରୁ ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ଗତ ଏପ୍ରିଲ ୧ରୁ ଜୁନ୍ ୩୦ତାରିଖ ମଧ୍ୟରେ ୧ଲକ୍ଷ ୬୪ହଜାର ୮୮୨ଟି ଚାଲାଣ କଟାଯାଇଥିବାବେଳେ ଏହି ଅବଧି ମଧ୍ୟରେ ମାତ୍ର ୪୨୮ଟି ଗାଡ଼ିକୁ ଜବତ କରାଯାଇଛି। ସମୀକ୍ଷାବେଳେ ଏହା ଜଣାପଡ଼ିବା ପରେ କାଗଜପତ୍ର ନଥିବା ଗାଡ଼ିକୁ କେବଳ ଜୋରିମାନା ଦେଇ ଛାଡ଼ିଦେବା ପରିବର୍ତ୍ତେ ମୋଟରଯାନ ଆଇନ ଅନୁସାରେ ଜବତ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷକରି ଜୁଲାଇ ୩ତାରିଖରେ ବାରିପଦା ଟାଉନ ଥାନା ଅଂଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଫିଟନେସ, ପରମିଟ, ବୀମା ନଥିବା ଗାଡ଼ି ସାମିଲ ହୋଇଥିବା ଜଣାପଡ଼ିବା ପରେ ସରକାର ଏଭଳି କଠୋର ନିଷ୍ପତ୍ତି ନେଇଛନ୍ତି। ଏଭଳି ବେଆଇନ ଗାଡ଼ି ଯୋଗୁ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପରମଜିତ୍ ଭାସିନ୍ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର ପରିବହନ କମିଶନର ସ୍ପଷ୍ଟ କରିଛନ୍ତି ଯେ, ଜୋରିମାନା ଆଦାୟ କରିବା ଦ୍ୱାରା କେବଳ ପୁରୁଣା ଅପରାଧର ସମାଧାନ ହୁଏ କିନ୍ତୁ ଏହା କୌଣସି ଚାଲୁ ରହିଥିବା ଆଇନଗତ ଉଲ୍ଲଘଂନକୁ ବୈଧତା ପ୍ରଦାନ କରେ ନାହିଁ।

ତେଣୁ ଏଣିକି ଯଦି କୌଣସି ଗାଡ଼ି ଚାଳକଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥାଏ ଓ ପଞ୍ଜିକରଣ ପ୍ରମାଣପତ୍ର କିମ୍ବା ପରମିଟ୍ ନିୟମ ଉଲ୍ଲଂଘନ କରି ଗାଡ଼ି ଚାଲୁଥିବା ଧରାପଡ଼େ, ତେବେ ମୋଟର ଯାନ ଆକ୍ଟର ଧାରା ୨୦୭ ଅନୁଯାୟୀ ତାହାକୁ ତୁରନ୍ତ ଜବତ କରାଯିବ। ପରିବହନ ଗାଡ଼ିଗୁଡ଼ିକ କ୍ଷେତ୍ରରେ ଫିଟନେସ ସାର୍ଟିଫିକେଟ୍ ନଥିଲେ ମୋଟର ଯାନ ଆକ୍ଟର ଧାରା ୫୬ ଅନୁଯାୟୀ ଗାଡ଼ିର ପଞ୍ଜିକରଣକୁ ସମ୍ପୂର୍ଣ୍ଣ ଅବୈଧ ବୋଲି ଧରାଯିବ ଓ ଆରଟିଓଙ୍କ ଦ୍ୱାରା ଆରସି କିମ୍ବା ପରମିଟ୍ ନିଲମ୍ବନ ଓ ବାତିଲ ପ୍ରକ୍ରିୟା ଆରମ୍ଭ କରାଯିବ।

ଯଦି କୌଣସି ଅଫିସର ଗାଡ଼ି ଯାଂଚ ସମୟରେ ଏହିସବୁ ତ୍ରୁଟି ପାଇବା ସତ୍ତ୍ୱେ କୌଣସି ଲିଖିତ କାରଣ ନଦର୍ଶାଇ ଗାଡ଼ିକୁ ଜବତ ନକରି କେବଳ ଚାଲାଣ କାଟି ଛାଡ଼ିଦିଅନ୍ତି, ତେବେ ତାହାକୁ ଡ୍ୟୁଟିରେ ଗୁରୁତର ଅବହେଳା ବୋଲି ଧରାଯିବ। ଆଉ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ସତର୍କ କରାଇ ଦେଇଛନ୍ତି।

ଏହା ସହିତ ଇ-ଚାଲାଣ ଓ ବାରମ୍ବାର ନିୟମ ଭାଙ୍ଗୁଥିବା ଗାଡ଼ିଗୁଡ଼ିକର ଏକ ସ୍ୱତନ୍ତ୍ର ତାଲିକା ବାହାନ ପୋର୍ଟାଲ ମାଧ୍ୟମରେ ପ୍ରସ୍ତୁତ କରି ସେଗୁଡ଼ିକୁ ରାସ୍ତାରେ ଧରିବା ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍‌, ଟୋଲ୍ ପ୍ଲାଜା ତଥ୍ୟ ଓ ପୁଲିସ ସହାୟତାରେ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲିକାନା ବଦଳିବା ପରେ ମଧ୍ୟ ପରମିଟ୍ ବଦଳାଯାଇ ନଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଚଳାଇବାକୁ ଅନୁମତି ଦିଆଯିବ ନାହିଁ। ଜବତ କରାଯାଇଥିବା ଗାଡ଼ିକୁ କୌଣସି ପରିସ୍ଥିତିରେ ମଧ୍ୟ ମୌଖିକ ଭାବେ କିମ୍ବା କେବଳ ଜରିମାନା ରସିଦ ଦେଖାଇ ଛଡ଼ାଯାଇପାରିବ ନାହିଁ। ସମସ୍ତ ବୈଧ କାଗଜପତ୍ର, ବୀମା, ଟ୍ୟାକ୍ସ ପୈଠ ଓ ଗାଡ଼ିର ଯାନ୍ତ୍ରିକ ସୁରକ୍ଷା ଯାଂଚ ପରେ ହିଁ ଲିଖିତ ଆଦେଶ ଜାରି କରି ଗାଡ଼ି ଛଡ଼ାଯିବ ବୋଲି ପରିବହନ କମିଶନର ସ୍ପଷ୍ଟ କରିଛନ୍ତି।

ଏହି ସମସ୍ତ ବ୍ୟବସ୍ଥାର ସମୀକ୍ଷା ପାଇଁ ସବୁ ପରିବହନ ଡେପୁଟି କମିଶନରଙ୍କୁ ନିଜ ଜୋନରୁ ବିଗତ ୩ମାସର ଆକ୍ସନ ଟେକେନ୍ ରିପୋର୍ଟକୁ ୧୫ଦିନ ମଧ୍ୟରେ ଦାଖଲ କରିବା ଏବଂ ସମସ୍ତ ଆରଟିଓଙ୍କୁ ପ୍ରତି ସପ୍ତାହରେ ଅନୁପାଳନ ରିପୋର୍ଟ ଦାଖଲ ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ