
ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ରାଜ୍ୟରେ ଶୁଭାରମ୍ଭ ହେବ ‘ଆୟୁଷ୍ମାନ ଭାରତ’ ଯୋଜନା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ଶୁଭାରମ୍ଭ କରିବେ । ସାଂସଦ ଓ ବିଧାୟକଙ୍କ ପାଇଁ ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ମଧ୍ୟ ସେ ସମ୍ବୋଧିତ କରିବେ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି । ୧୦ ତାରିଖ ସନ୍ଧ୍ୟାରେ ଶ୍ରୀ ନଡ୍ଡା ଓଡ଼ିଶାରେ ପହଞ୍ଚିବେ । ୧୧ ତାରିଖରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ କରିବେ । ପରେ ଦଳୀୟ ବୈଠକରେ ସାମିଲ ହେବେ । ଦଳୀୟ କାର୍ୟ୍ୟାଳୟରେ ଆୟୋଜିତ ସାଂସଦ ଓ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଗୁରୁମନ୍ତ୍ର ଦେବେ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି । ୧୨ ତାରିଖ ସନ୍ଧ୍ୟାରେ ଶ୍ରୀ ନଡ୍ଡା ଦିଲ୍ଲୀ ଫେରିଯିବେ ।
ଦୀର୍ଘବର୍ଷର ଅପେକ୍ଷା ପରେ ଏହି ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲାଗୁ ହେବାକୁ ଯାଉଛି । ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ । ଉଭୟ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ। ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷ ଟଙ୍କାର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ । ଦୁଇ ଯୋଜନା ଲାଗୁ ହେବା ପରେ ଆଉ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ଯୋଡ଼ି ହେବେ । ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା ଲାଗୁ କରାଯିବ । ସେମାନଙ୍କ ପରିବାରକୁ ସର୍ବାଧିକ ୧୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଯୋଜନା ଶୁଭାରମ୍ଭ ପାଇଁ ରାଜ୍ୟର ୧୪୩୮ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ହେବ ।







