
ଭୁବନେଶ୍ବର: ରାୟଗଡ଼ାରେ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଏହା ଛଡ଼ା, ଦକ୍ଷିଣ ତଟ ରେଲୱେ ମଧ୍ୟ ନୂତନ ଭାବେ ଆରମ୍ଭ ହେବ ।
ରେଳ ମାନଚିତ୍ରରେ ବଡ଼ ପରିବର୍ତ୍ତନ ‘ଦକ୍ଷିଣ ତଟ ରେଳବାଇ’ ଗଠନ ହେଲା। ରାୟଗଡାକୁ ମିଳିଲା ନୂଆ ମଣ୍ଡଳ। ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ରେଳ ବ୍ୟବସ୍ଥାରେ ବଡ଼ ପୁନର୍ଗଠନ ଘୋଷଣା କରାଯାଇଛି। ଆସନ୍ତା ୧ ଜୁନ ୨୦୨୬ ଠାରୁ “ଦକ୍ଷିଣ ତଟ ରେଳବାଇ” ନାମକ ଏକ ନୂଆ ରେଳ ମଣ୍ଡଳ ଗଠନ କରାଯିବ, ଯାହାର ମୁଖ୍ୟାଳୟ ବିଶାଖାପଟ୍ଟଣମରେ ରହିବ। ଏନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏହି ନୂତନ ବ୍ୟବସ୍ଥା ଅନୁଯାୟୀ, ପୂର୍ବତଟ ରେଳବାଇ ଓ ଦକ୍ଷିଣ-ମଧ୍ୟ ରେଳବାଇ କିଛି ଅଂଶକୁ ମିଶାଇ ଏହି ନୂଆ ଜୋନ୍ ତିଆରି ହେବ। ଏହା ସହିତ, ପୂର୍ବତଟ ରେଳବାଇ ଅଧୀନରେ ରାୟଗଡାରେ ଏକ ନୂଆ ରେଳ ମଣ୍ଡଳ ସୃଷ୍ଟି କରାଯିବ, ଯାହା ଓଡ଼ିଶା ପାଇଁ ବଡ଼ ସଫଳତା ଭାବେ ଦେଖାଯାଉଛି। ପୂର୍ବତନ Waltair ମଣ୍ଡଳକୁ ଦୁଇ ଭାଗରେ ବିଭକ୍ତ କରାଯିବ। ଏଥିରୁ ଗୋଟିଏ ଅଂଶ ରାୟଗଡା ମଣ୍ଡଳରେ ଯୋଗ ହେବା ସହ, ଅନ୍ୟ ଅଂଶକୁ ବିଶାଖାପଟ୍ଟଣମ ମଣ୍ଡଳ ଭାବେ ନୂଆ ଦକ୍ଷିଣ ତଟ ରେଳବାଇରେ ମିଶ୍ରଣ କରାଯିବ। ଏହା ଫଳରେ ରେଳ ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଗମ କରିବାକୁ ସରକାର ଆଶା କରୁଛି।
ନୂଆ ରାୟଗଡା ମଣ୍ଡଳ ଅଧୀନରେ ପ୍ରାୟ ୬୯୬ ରୁଟ୍ କିଲୋମିଟର ପରିବ୍ୟାପ୍ତରେ କୋରାପୁଟ-ସିଙ୍ଗାପୁର ରୋଡ୍, କୋଟାଭାଲାସା-କିରନ୍ଦୁଲ ଏବଂ ଗୁଣପୁର-ପାରଳାଖେମୁଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ରୁଟ୍ ସାମିଲ ରହିଛି। ଏହା ଓଡ଼ିଶାର ଦକ୍ଷିଣ ଅଞ୍ଚଳରେ ରେଳ ସଂଯୋଗକୁ ଆହୁରି ମଜବୁତ କରିବ। ଏହା ସହିତ ଖୋର୍ଦ୍ଧା ରୋଡ୍ ମଣ୍ଡଳ ଓ ବିଶାଖାପଟ୍ଟଣମ ମଣ୍ଡଳ ମଧ୍ୟରେ କିଛି ପରିବର୍ତ୍ତନ ହେଉଛି। ବିଶେଷକରି, ପଲାସା–ଇଚ୍ଛାପୁରମ (Palasa–Ichchapuram) ମଧ୍ୟର ୫୩ କି.ମି. ରେଳଖଣ୍ଡକୁ ଖୋର୍ଦ୍ଧା ରୋଡ୍ ମଣ୍ଡଳରୁ ବିଶାଖାପଟ୍ଟଣମ ମଣ୍ଡଳକୁ ସ୍ଥାନାନ୍ତର କରାଯିବ।ଏହି ପଦକ୍ଷେପ ଦ୍ୱାରା ଦୁଇ ମଣ୍ଡଳ ମଧ୍ୟରେ ପରିଚାଳନା ସମନ୍ୱୟ ଆହୁରି ସୁଦୃଢ଼ ହେବାକୁ ଆଶା କରାଯାଉଛି। ଏହା ସହ ଅନ୍ୟାନ୍ୟ ମଣ୍ଡଳମାନଙ୍କ ମଧ୍ୟରେ ସୀମା ଓ ଅଧିକାରକ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଆଣାଯାଇଛି, ଯାହା ରେଳ ସେବାକୁ ଆହୁରି ସୁଚାରୁ ଓ କ୍ଷମତାଶୀଳ କରିବାକୁ ସାହାଯ୍ୟ କରିବ।


