ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଦ୍ୟାଳୟର ୭୫ ବର୍ଷର ଗୌରବମୟ ଯାତ୍ରାକୁ ସ୍ମରଣ କରି କହିଥିଲେ ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ୭୫ ବର୍ଷର ସଫଳ ଯାତ୍ରା କୌଣସି ସଂସ୍ଥା ପାଇଁ ଅପୂର୍ବ ସଫଳତା ଅଟେ ଏବଂ ଏହା ପଛରେ ଅନେକ ଶିକ୍ଷାନୁରାଗୀ ଓ ତ୍ୟାଗୀ ବ୍ୟକ୍ତିଙ୍କ ଅବଦାନ ରହିଛି। ସେ ବିଦ୍ୟାଳୟର ପ୍ରତିଷ୍ଠାତା ଓ ଉନ୍ନତିରେ ଅବଦାନ ରଖିଥିବା ସମସ୍ତଙ୍କୁ ସମ୍ମାନ ଜଣାଇଥିଲେ। ସେ କହିଥିଲେ ଯେ, ସାଢେ ସାତ ଦଶନ୍ଧି ପୂର୍ବେ ସ୍ଥାପନ ହୋଇଥିବା ଏହି ଶିକ୍ଷାର ଚାରା ଆଜି ଏକ ବିଶାଳ ବୃକ୍ଷରେ ପରିଣତ ହୋଇ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଆଲୋକ ଦେଉଛି ।

ସେ ଆହୁରି କହିଥିଲେ ଯେ, ବିଦ୍ୟାଳୟର ସଫଳତାର ମୂଳ ମାପକାଠି ହେଉଛି ଏହାର ପୁରାତନ ଛାତ୍ରଛାତ୍ରୀଙ୍କ ସଫଳତା। ସୁନ୍ଦରଗ୍ରାମ ହାଇସ୍କୁଲର ଅନେକ ପୁରାତନ ଛାତ୍ର ଆଜି ବିଭିନ୍ନ ଉଚ୍ଚ ପଦବୀରେ ରହି ସମାଜ ସେବା କରୁଛନ୍ତି, ଯାହା ବିଦ୍ୟାଳୟ ପାଇଁ ଗର୍ବର ବିଷୟ। ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସେମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ନିଜ ଭବିଷ୍ୟତ ଗଢ଼ିବା ଉଚିତ୍ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଶିକ୍ଷାର ମହତ୍ତ୍ୱ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା କେବଳ ପାଠ୍ୟଜ୍ଞାନ ନୁହେଁ, ବରଂ ଚରିତ୍ର ଗଢ଼ିବା ଓ ଜୀବନ ମୂଲ୍ୟବୋଧ ସୃଷ୍ଟିର ଏକ ମାଧ୍ୟମ। ସେ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଯୁଗର ଚାହିଦା ଅନୁସାରେ ଦକ୍ଷତା ବିକାଶ, ସୃଜନଶୀଳତା ଓ ନବୀନ ଚିନ୍ତାଧାରାରେ ଆଗକୁ ବଢିବାକୁ ଆହ୍ୱାନ କରିଥିଲେ। ଏହା ସହ ମୋବାଇଲ ଓ ସୋସିଆଲ ମିଡିଆର ଅତିରିକ୍ତ ବ୍ୟବହାରରୁ ଦୂରେଇ ରହି, ଜ୍ଞାନାର୍ଜନରେ ଗୁରୁତ୍ୱ ଦେବାକୁ କହିଥିଲେ।

ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ଶିକ୍ଷା କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରି କହିଥିଲେ ଯେ, ନୂତନ ଶିକ୍ଷାନୀତି ୨୦୨୦ ଅନୁସାରେ ଦକ୍ଷତାମୂଳକ ଓ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଡିଜିଟାଲ ଶିକ୍ଷା, ସ୍ମାର୍ଟ କ୍ଲାସ୍‌ରୁମ୍‌ ଓ ଅନଲାଇନ୍ ପାଠପଢା ପ୍ରଣାଳୀ ମାଧ୍ୟମରେ ଶିକ୍ଷାରେ ବିପ୍ଳବ ଆଣାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଭଳି ପ୍ରକଳ୍ପ ମାଧ୍ୟମରେ ଗ୍ରାମୀଣ ଶିକ୍ଷାର ମୂଳ ଭିତ୍ତିକୁ ସୁଦୃଢ କରାଯାଉଛି।

ଏହି ଅବସରରେ ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ୪ ଜଣ ଛାତ୍ର ଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହ ପ୍ଲାଟିନମ୍ ଜୁବିଲି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ।

ବିଦ୍ୟାଳୟ ପକ୍ଷରୁ ଏହାର ଆବଶ୍ୟକତା ସମ୍ପର୍କରେ ଯେଉଁ ସବୁ ଦାବି ରହିଛି, ସରକାର ଏହାର ବିଚାର କରି ତୁରନ୍ତ ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରାଚୀ ନଦୀର ପୁନରୁଦ୍ଧାର ନିମିତ୍ତ ୪୫୦ କୋଟି ଟଙ୍କା ଘୋଷଣା କରିଥିବାରୁ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସେ ଆହୁରି କହିଥିଲେ ଯେ, ୨୦୨୬-୨୭ ଆର୍ଥିକ ବର୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୩୧,୯୯୭ କୋଟି ଟଙ୍କାର ପ୍ରାବଧାନ କରାଯାଇଛି, ଯାହା ମୋଟ ବଜେଟର ୧୦.୩ ପ୍ରତିଶତ। ଗତ ଦେଢ ବର୍ଷରେ ପ୍ରାୟ ୨୦ ହଜାର ଶିକ୍ଷକଙ୍କ ନିଯୁକ୍ତି ହୋଇଥିବାବେଳେ ଆଗାମୀ ଦିନରେ ଆହୁରି ନିଯୁକ୍ତି ହେବାକୁ ଯାଉଛି। ଏହା ସହ ଶିକ୍ଷାର ଭିତ୍ତିଭୂମି ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସରକାର ପ୍ରତିବଦ୍ଧ ରହିଛି।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ କରି କହିଥିଲେ ଯେ, ଜ୍ଞାନ ହିଁ ପ୍ରକୃତ ଶକ୍ତି ଓ ଏହାକୁ ଅର୍ଜନ କରି ସେମାନେ ନିଜ ଜୀବନରେ ସଫଳତା ହାସଲ କରିପାରିବେ। ସେ ଛାତ୍ରମାନଙ୍କୁ ନିଜ ପ୍ରତିଭାକୁ ଚିହ୍ନଟ କରି ଲକ୍ଷ୍ୟ ନିର୍ଦ୍ଧାରଣ କରି ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଜଗତସିଂହପୁରର ସାଂସଦ ଡଃ ବିଭୁପ୍ରସାଦ ତରାଇ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ବିଦ୍ୟାଳୟରେ ଉନ୍ନତି ପାଇଁ ଅନୁରୋଧ କରିବା ସହ ସେମାନଙ୍କ ଭାଗିଦାରୀ ପାଇ ଧନ୍ୟବାଦ୍ ଜଣାଇଥିଲେ । ଏହି ସୁନ୍ଦର ଶିକ୍ଷା ଅନୁଷ୍ଠାନ ପାଇଁ ସ୍ଥାନୀୟ ଅଞ୍ଚଳ ସୁନ୍ଦରଗ୍ରାମ ରୂପେ ପରିଚିତ ହେବା ଗର୍ବର ବିଶ୍ୟ ବୋଲି ପ୍ରକାଶ କରିଥିଲେ ।

  • Related Posts

    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading
    ଭୁବନେଶ୍ୱରକୁ ୬ଟି ଜୋନ୍‌ରେ ବାଣ୍ଟିଲା ବିଏମ୍‌ସି

    ଭୁବନେଶ୍ୱର,: ବିଏମ୍‌ସିି ୩ରୁ ୬ଟି ଜୋନ୍‌ରେ ବାଣ୍ଟି ହୋଇଛି । ଜୋନ୍ ଅଫିସର ମାତ୍ରାଧିକ ଚାପକୁ ହ୍ରାସ କରିବା ଏବଂ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏବେ ପ୍ରତି ଜୋନ୍‌ରେ ୧୨ ଲେଖାଁଏ ୱାର୍ଡ ରହିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ