
ଚେନ୍ନାଇ: ତାମିଲନାଡୁ ନିର୍ବାଚନରେ ଟିଭିକେ ଝଡ୍ । ଅଭିନେତାରୁ ରାଜନେତା ପାଲଟିଥିବା ବିଜୟ ଥଲାପତି ରାଜନୀତିରେ ବ୍ଲକବାଷ୍ଟର ଡେବ୍ୟୁ କରିଛନ୍ତି । ଟିଭିକେ ପାର୍ଟି ମ୍ୟାଜିକ୍ ନମ୍ବର ପାଖାପାଖି ସିଟ୍ ହାତେଇଛି । ପୂର୍ଣ୍ଣ ବହୁମତ କୌଣସି ଦଳ ହାତେଇନଥିବା ବେଳେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଠନ କରିବାକୁ ଅନୁମତି ମାଗିଛନ୍ତି ଟିଭିକେ ନେତା ବିଜୟ ।
ତାମିଲନାଡୁ ବିଧାନସଭା ନିର୍ବାଚନରେ ମୋଟ 234 ଆସନରୁ 108 ଆସନରେ ବାଜିମାତ କରି ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛି ଟିଭିକେ । ଟିଭିକେ ନେତା ବିଜୟ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ଏକ ଇ-ମେଲ୍ ପଠାଇଛନ୍ତି, ଏଥିରେ ସରକାର ଗଠନ ପାଇଁ ଟିଭିକେକୁ ଅନୁମତି ଦେବାକୁ ଉଲ୍ଲେଖ କରାଯାଇଛି । ଏଥିସହ 2 ସପ୍ତାହ ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ଅନୁମତି ମାଗିଛନ୍ତି ବିଜୟ ।
ତାମିଲନାଡୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଟିଭିକେ 108 ସିଟ୍ ଜିତି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ରାବିଡ ମୁନେତ୍ର କାଝଗମ (DMK) 59ଟି ସିଟ୍ରେ ବିଜୟୀ ହୋଇ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କାଝଗମ(AIADMK) 47ଟି ଆସନ ଜିତି ତୃତୀୟ ସ୍ଥାନରେ ରହିଛି । ତେବେ ସରକାର ଗଠନ ପାଇଁ 118 ବିଧାୟକ ଆବଶ୍ୟକ । ସରକାର ଗଠନ ପାଇଁ ଟିଭିକେକୁ ଆଉ 8 ସିଟ୍ ଆବଶ୍ୟକ ରହିଛି । ଚର୍ଚ୍ଚା ହେଉଛି କି ଟିଭିକେ କଂଗ୍ରେସ ଓ ସ୍ବାଧୀନ ବିଧାୟକଙ୍କ ସହଯୋଗରେ ସରକାର ଗଠନ କରିପାରେ । ତାମିଲନାଡୁ ନିର୍ବାଚନରେ ଟିଭିକେର ବିଜୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜୟଙ୍କ ସହ କଥା ହୋଇଥିଲେ ।
ସେପଟେ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଛନ୍ତି ଏମକେ ଷ୍ଟାଲିନ । ସିଏ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପଠାଇ ଦେଇଥିଲେ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବା ସହ ସରକାର ଗଠନ ହେବା ପର୍ଯ୍ୟନ୍ତ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ରହିବାକୁ କହିଛନ୍ତି ।


