ସାମୁଦ୍ରିକ ବାଣିଜ୍ୟ ଓ ସୁରକ୍ଷା ହେଉଛି ବ୍ୟାପକ ପ୍ରଗତିର ପ୍ରବେଶ ପଥ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ; ଏହା ବ୍ୟାପକ ସୁଯୋଗ, ସମୃଦ୍ଧି ଏବଂ ଆନ୍ତର୍ଜାତୀୟ ସହଭାଗିତାର ପ୍ରବେଶ ପଥ ବୋଲି ଲୋକସେବା ଭବନ ଠାରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ (ପଲିସି) ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ହେଉଛି ଇଣ୍ଡୋ-ପାସିଫିକ୍ ଶତାବ୍ଦୀ । ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି। ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥା ବା Cooperative Federalism ପ୍ରତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମର ସମୁଦ୍ର, ବନ୍ଦର, ମତ୍ସ୍ୟ ସମ୍ପଦ ଏବଂ ବ୍ଲୁ ଇକୋନୋମି (Blue Economy) ହେଉଛି ଆମର ମହତ୍ତ୍ୱପୂର୍ଣ୍ଣ ଜାତୀୟ ସମ୍ପତ୍ତି। ଏଗୁଡ଼ିକର ସୁରକ୍ଷା କେବଳ ଦେଶର ସୁରକ୍ଷା ପାଇଁ ଜରୁରୀ ନୁହେଁ, ବରଂ ଆର୍ଥିକ ବିକାଶ ଓ ସମୁଦ୍ର ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପକୂଳବାସୀଙ୍କ ଜୀବିକାର କଲ୍ୟାଣ ପାଇଁ ଅତ୍ୟନ୍ତ ଜରୁରୀ। ଆଜିର ସମୟରେ ସାମୁଦ୍ରିକ ସୁରକ୍ଷା କେବଳ ପାରମ୍ପରିକ ଆଇନ-ଶୃଙ୍ଖଳା ମଧ୍ୟରେ ସୀମିତ ନାହିଁ, ବରଂ ଏଥିରେ ଜଟିଳ ଭିତ୍ତିଭୂମିର ସୁରକ୍ଷା, ସାମୁଦ୍ରିକ କ୍ଷେତ୍ରର ଗୁରୁତ୍ୱ ଉପରେ ଆମର ସଚେତନତା, ସାଇବର ସୁରକ୍ଷା, ବିପର୍ଯ୍ୟୟ ପରିଚାଳନା ଏବଂ ପରିବେଶ ସୁରକ୍ଷା ଭଳି ଅନେକ ଆହ୍ୱାନ ସାମିଲ ରହିଛି।

ଓଡ଼ିଶାର ସମୃଦ୍ଧ ସାମୁଦ୍ରିକ ଇତିହାସ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବଙ୍ଗୋପସାଗର ତଟରେ ଓଡ଼ିଶାର ପ୍ରାୟ ୫୭୫ କିଲୋମିଟର ଦୀର୍ଘ ତଟରେଖା ରହିଛି। ପ୍ରାଚୀନ କଳିଙ୍ଗର ସାଧବ ପୁଅମାନେ ସମୁଦ୍ର ପଥରେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶ ସହ ବ୍ୟାପାର ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ, ଯାହାର ଜୀବନ୍ତ ପ୍ରତୀକ ଭାବେ ଆଜି ମଧ୍ୟ ବାଲିଯାତ୍ରା ଉତ୍ସବ ପାଳିତ ହେଉଛି। ବର୍ତ୍ତମାନ ଭାରତର ସାମୁଦ୍ରିକ ବିକାଶ ଗାଥାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରୁଛି। ରାଜ୍ୟର ସାମୁଦ୍ରିକ ରଣନୀତିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମଠାରେ ଏକ ଗଭୀର-ସମୁଦ୍ର ବନ୍ଦର ଏବଂ ପାରାଦୀପ ନିକଟରେ ଏକ ସିପ୍ ବିଲ୍ଡିଂ କ୍ଲଷ୍ଟର ନିର୍ମାଣ କରାଯାଉଛି।

ଭାରତ ସରକାରଙ୍କ ‘ସାଗର’ (SAGAR- Security and Growth for All in the Region), ‘ଆକ୍ଟ ଇଷ୍ଟ ପଲିସି’, ‘ବିମଷ୍ଟେକ’ (BIMSTEC) ଏବଂ ‘କୋଷ୍ଟାଲ ସିକ୍ୟୁରିଟି ସ୍କିମ ଫେଜ-୩’ ଭଳି ପ୍ରଗତିଶୀଳ ନୀତିକୁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା (AI), ଅନ୍‌ମ୍ୟାନ୍‌ଡ ସିଷ୍ଟମ ଏବଂ ଅତ୍ୟାଧୁନିକ ମନିଟରିଂ ନେଟୱାର୍କର ଉପଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏଥିସହ ମାଛଧରା ଡଙ୍ଗାଗୁଡ଼ିକରେ ‘ନଭମିତ୍ର’ (NABHMITRA) ଟ୍ରାନ୍ସପଣ୍ଡର ଲଗାଇବା ଏବଂ କୋଷ୍ଟାଲ ଭାଇବ୍ରାଣ୍ଟ ଭିଲେଜ ପ୍ରୋଗ୍ରାମ ଭଳି କାର୍ଯ୍ୟକ୍ରମକୁ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଛନ୍ତି। ସାମୁଦ୍ରିକ ସୀମା ସୁରକ୍ଷାରେ ନିୟୋଜିତ ଭାରତୀୟ ନୌସେନା, କୋଷ୍ଟ ଗାର୍ଡ, ଓଡ଼ିଶା ପୋଲିସ ଏବଂ ଅନ୍ୟ ସମସ୍ତ ସଂସ୍ଥାର କାର୍ଯ୍ୟକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ବୈଠକରେ ଯୋଗଦେଇ ଜାତୀୟ ମାରିଟାଇମ୍ ସୁରକ୍ଷା ସମନ୍ୱୟକାରୀ (NMSC) ଅବସରପ୍ରାପ୍ତ ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତା କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ମଡେଲ ଖୋଜିବା ଅତ୍ୟନ୍ତ କଷ୍ଟକର। ଏଥିପାଇଁ ବିଭିନ୍ନ ମଡେଲକୁ ନେଇ ଏକ ସୁଚିନ୍ତିତ ରଣନୈତିକ ଢାଞ୍ଚା ପ୍ରସ୍ତୁତ କରିବା ଆବଶ୍ୟକ। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ମାରିଟାଇମ୍ ସିକ୍ୟୁରିଟି ଅଫିସ୍ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ସହ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରୁଛି ଏବଂ ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକୁ ମାର୍ଗଦର୍ଶନ ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଛନ୍ତି ଯେ, ସାମୁଦ୍ରିକ ସୁରକ୍ଷା କେବଳ ସାମରିକ ବା ସୁରକ୍ଷାଗତ ଦିଗ ମଧ୍ୟରେ ସୀମିତ ନୁହେଁ। ସମ୍ମିଳନୀରେ ଉପସ୍ଥିତ ବରିଷ୍ଠ ଅଧିକାରୀମାନଙ୍କୁ ଅନୁରୋଧ କରି ସେ କହିଛନ୍ତି ଯେ, କେବଳ ମୁଖ୍ୟ ଉପକୂଳ ଅଞ୍ଚଳ ନୁହେଁ, ବରଂ ସମୁଦ୍ର ମଧ୍ୟରେ ଥିବା ଦ୍ୱୀପଗୁଡ଼ିକର (Islands) ସୁରକ୍ଷା ଏବଂ ବିକାଶ ଉପରେ ମଧ୍ୟ ସମାନ ଭାବେ ଗୁରୁତ୍ୱ ଦିଆଯିବା ଉଚିତ।

ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆଙ୍କ ସମେତ ଉପକୂଳବର୍ତ୍ତୀ ରାଜ୍ୟର ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ପଦାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ।

ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ. ବି. ଖୁରାନିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

  • Related Posts

    ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ

    ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍‌ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି…

    Continue reading
    ତାମିଲନାଡୁ ଗ୍ୟାସ ଲିକ୍‌ ଅଘଟଣ : ସୁରକ୍ଷିତ ଫେରିଲେ ୬୨ ଓଡ଼ିଆ ଶ୍ରମିକ

    ଭୁବନେଶ୍ୱର: ତାମିଲନାଡୁ ଗ୍ୟାସ୍ ଟ୍ରାଜେଡି ପରେ ଭୟ ଓ ଅନିଶ୍ଚିତତା ମଧ୍ୟରେ ରହିଥିବା ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ରାଜ୍ୟକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ସରକାର। ଚେନ୍ନାଇରୁ ଟ୍ରେନ୍‌ ଯୋଗେ ୬୨ ଜଣ ଓଡ଼ିଆ ପ୍ରବାସୀ ଶ୍ରମିକ ଆଜି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ