
ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜି ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ ଇଣ୍ଡି ମେଣ୍ଟ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅକ୍ଟୋବର 12 ତାରିଖରେ (ଆଜି) ସମଗ୍ର ଇଣ୍ଡି ମେଣ୍ଟ ଓ ଦେଶର ଯୁବପିଢିଙ୍କୁ ପୁଣି ଥରେ ବହୁ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇବା ପାଇଁ ଆହ୍ବାନ ଦେଇଛନ୍ତି । ସେପଟେ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପିର ଆନ୍ଦୋଳନ ଦ୍ବିତୀୟ ଦିନରେ ପହଞ୍ଚିଛି । ଜନ୍ତର ମନ୍ତର ଆଡ଼କୁ ବିକ୍ଷୋଭ ପ୍ରଦର୍ଶନ କରି ଯାଉଥିବାବେଳେ ଦିଲ୍ଲୀ ପୋଲିସ ୧୦୦ ରୁ ଅଧିକ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି ।
ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଇଣ୍ଡିଆ ମେଣ୍ଟର ନେତାମାନଙ୍କ ଏକ ପ୍ରତିନିଧି ଦଳ ସହ ସାକ୍ଷାତ କରି ସ୍ମାରକପତ୍ର ଗ୍ରହଣ କରିବା ପାଇଁ କରିଥିବା ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଇମେଲ ମାଧ୍ୟମରେ ସେମାନଙ୍କୁ ପଠାଯାଇଥିବା ଏକ ଜବାବରେ ଏହି ନିଷ୍ପତ୍ତିର କାରଣ ସ୍ପଷ୍ଟ କରିଛନ୍ତି।
ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟର ପ୍ରତିବାଦ ଏବଂ ଜନ୍ତରମନ୍ତରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ରାଜନୀତି ତେଜିଥିବାବେଳେ ଏହି ଲଢ଼େଇରେ ସାମିଲ ହେବେ ଓଡ଼ିଶାର କଂଗ୍ରେସ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍ କଠାରୁ ଆରମ୍ଭ କରି ପୂର୍ବତନ ପିସିସି ସଭାପତି, ବିଧାୟକ ଓ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା ଦେଇଛନ୍ତି ହାଇକମାଣ୍ଡ ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଣତନ୍ତ୍ର ଓ ଭୋଟରଙ୍କ ଅଧିକାର ପାଇଁ ଲଢ଼େଇରେ ସାଥ୍ ଦେବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ଦାସ । ଅସୁସ୍ଥତା ସତ୍ତ୍ୱେ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି କହିବା ସହ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ବିରୋଧରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ସେହିପରି ଜୟଦେବ ଜେନା ଓ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତ କରୁଛନ୍ତି ।








