
ରାଇକିଆ-:-କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତ ସଭାଗୃହରେ ମଙ୍ଗଳବାର ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନ ଉଦ୍ଦେଶ୍ୟରେ ଆୟୋଜିତ ଏହି ଶିବିରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟସିଂ କହଁର ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣୀ କରିଥିଲେ।
ଏହି ଅବସରରେ ମୋଟ ୯ଟି ଆବେଦନ ଓ ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୨ଟି ସାମୂହିକ ଏବଂ ୭ଟି ବ୍ୟକ୍ତିଗତ ଅଭିଯୋଗ ଥିଲା। ସାମୂହିକ ଅଭିଯୋଗ ମଧ୍ୟରେ ମୋବାଇଲ ନେଟୱର୍କ ସେବାର ଉନ୍ନତି, ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ, ବାଦ ପଡ଼ିଥିବା ଭତ୍ତା ହିତାଧିକାରୀଙ୍କୁ ସାମିଲ କରିବା, ଅନ୍ତ୍ୟୋଦୟ ଯୋଜନାରେ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା
ଶୁଣାଣୀ ସମୟରେ ଏବିଡିଓ ଶ୍ରୀ କହଁର ଅଭିଯୋଗଗୁଡ଼ିକର ଯଥାଶୀଘ୍ର ବିଚାର କରି ଜିଲ୍ଲାପାଳଙ୍କ ଅନୁମୋଦନ ସାପେକ୍ଷରେ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲୋକଙ୍କ ସମସ୍ୟାର ଶୀଘ୍ର ସମାଧାନ ଦିଗରେ ପ୍ରଶାସନ ପ୍ରତିବଦ୍ଧ ଥିବା ସେ ପ୍ରକାଶ କରିଥିଲେ।
ଜନଶୁଣାଣୀ କାର୍ଯ୍ୟକ୍ରମରେ ସରପଞ୍ଚ ସୁରଞ୍ଜନ ପ୍ରଧାନ, ସମିତି ସଭ୍ୟ ଜିକୁନ ସାହୁ, ଜିପିଡିଓ ମହେଶ ପଟ୍ଟନାୟକ, ପିଇଓ ସୁଶାନ୍ତ ପ୍ରଧାନ, ବ୍ଲକ ସଂଯୋଜକ କମଲ ପ୍ରସାଦ ନାୟକ, ବିଏଫ୍ଓ ଅନନ୍ଦେଶ୍ୱର ପ୍ରଧାନ, ଏଡିଓ ପ୍ରିୟଙ୍କା ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


