
ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆସ୍ଥିତ ସୁଧାକିରଣ ମହାବିଦ୍ୟାଳୟ ପରିସରରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଖେଲୋ ଇଣ୍ଡିଆ ସମ୍ବାଦ’ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ସମଗ୍ର ଭାରତ ସମେତ ଓଡ଼ିଶାର ଚୟନିତ କେତେକ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କନ୍ଧମାଳ ଜିଲ୍ଲାରୁ ରାଇକିଆ ସୁଧାକିରଣ ମହାବିଦ୍ୟାଳୟକୁ ଏଥିପାଇଁ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବା ସହ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିଥିଲେ।ଏହି ଅବସରରେ କନ୍ଧମାଳ ଜିଲ୍ଲାରୁ ଫୁଟବଲ୍ରେ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା କ୍ରୀଡ଼ାବିତ୍ ରଞ୍ଜନ ବିନ୍ଧାଣୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭମ ଦତ୍ତାତ୍ରେୟ ବାହିନୀପତି ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ଓ ଛାତ୍ରଜୀବନରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ନିଜକୁ ଶୃଙ୍ଖଳିତ ରଖି ନିରନ୍ତର ଅଧ୍ୟବସାୟ କଲେ ଜୀବନରେ ସଫଳତା ହାସଲ କରିହେବ ବୋଲି ସେ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଯୁକ୍ତଦୁଇ ଅଧ୍ୟକ୍ଷ ଡ଼ଃ ଶ୍ୟାମସୁନ୍ଦର ଡାଙ୍ଗୁଆ, ଅଧ୍ୟାପକ ଧର୍ମେନ୍ଦ୍ର ଦିଗାଲ, ବିଭୂଷଣ ପ୍ରଧାନ, ଅଧ୍ୟାପିକା ବିଷ୍ଣୁପ୍ରିୟା ବେହେରା, ମାଇଁ ଭାରତର ଦୁଇଜଣ ସ୍ୱେଚ୍ଛାସେବୀ ନିହାର ରଞ୍ଜନ ପ୍ରଧାନ ଓ ଜଗନ ମଲ୍ଲିକଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗଦେଇଥିଲେ।କାର୍ଯ୍ୟକ୍ରମ କୁ ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ନୀଳାଞ୍ଚଳ ସାହୁ ପରିଚାଳନା କରିଥିଲେ.
ରିପୋର୍ଟର: ଦୁତି କୃଷ୍ଣ ପଣ୍ଡା




