
ଭୁବନେଶ୍ୱର: ରବିବାର ଖେଳାଯିବ ଦ୍ୱିତୀୟ ଦିନିକିଆ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ସିରିଜ ବିଜୟ ସହ ମନୋବଳ ବଢାଇବାକୁ ପ୍ରୟାସ କରିବ । ଇଂଲଣ୍ଡ ମଧ୍ୟ କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି । ୫ବର୍ଷ ପରେ ଓଡ଼ିଶାର କ୍ରିକେଟ୍ ପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାର ମଜା ଉଠାଇବା ପାଇଁ ବାରବାଟୀରେ ଡେରା ପକାଇଛନ୍ତି ।
ଚାମ୍ପିଅନ୍ସ ଟ୍ରଫି ଆଖି ଆଗରେ ରହିଥିବାରୁ ଭାରତ ଏହି ସିରିଜ ଜରିଆରେ ସମସ୍ତ ଖେଳାଳିଙ୍କୁ ଅଳ୍ପ ବହୁତ ଅଭ୍ୟାସ ସୁଯୋଗ ଦେବାକୁ ଯୋଜନା କରୁଛି । ରବିବାର ବ୍ୟାଟିଂ ବିଭାଗକୁ ନେଇ ପରୀକ୍ଷା ନିରୀକ୍ଷା ହୋଇପାରେ । ବିରାଟ କୋହଲି ଓ ରିଷଭ ପନ୍ତଙ୍କୁ ଏକାଦଶକୁ ଫେରାଇ ଆଣିବାକୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତା କରିବ । ଏସବୁ ବ୍ୟତୀତ ସମସ୍ତଙ୍କ ନଜର ସିନିୟର ଖେଳାଳିଙ୍କ ଉପରେ ରହିବ। ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଫର୍ମ ଫେରିପାଇବା ଜରୁରି । ତେଣୁ ସେମାନଙ୍କ ପ୍ରଦର୍ଶନକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ପ୍ରଥମ ମ୍ୟାଚ୍ରେ ବିସ୍ଫୋରକ ଅର୍ଦ୍ଧଶତକ ପରେ ଶ୍ରେୟାସ ଆୟର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି।
ପ୍ରଥମ ଦିନିକିଆରେ ତାଙ୍କୁ ଖେଳାଇବାର ଯୋଜନା ନଥିଲା । ମାତ୍ର କୋହଲି ଆହତ ହେବାରୁ ସେ ଖେଳିବାକୁ ସୁଯୋଗ ପାଇଥିଲେ । ସତ କହିବାକୁ ଗଲେ ଆୟର ଦିନିକିଆ ଫର୍ମାଟ୍ରେ ଭାରତୀୟ ବ୍ୟାଟିଂ ବିଭାଗର ମେରୁଦଣ୍ଡ । ଗତ ଦିନିକିଆ ବିଶ୍ୱକପ୍ରେ ତାଙ୍କ ପ୍ରଦର୍ଶନ ଏହା ପ୍ରମାଣ କରୁଛି । ତେଣୁ ସେ ଏକାଦଶରେ ସ୍ଥାନ ବଜାୟ ରଖିବା ଜରୁରି । ଇଂଲଣ୍ଡ ବ୍ୟାଟରଙ୍କ ପାଇଁ ସବୁଠୁ ବଡ଼ ଚିନ୍ତା ଭାରତୀୟ ସ୍ପିନର । ଭାରତୀୟ ସ୍ପିନ ବୋଲିଂ ବିଭାଗରେ ଢ଼େର ବିକଳ୍ପ ଓ ବିଭିନ୍ନତା ରହିଛି । ତେଣୁ ଇଂଲଣ୍ଡ ବ୍ୟାଟରମାନେ ସେମାନଙ୍କୁ ସାମ୍ନା କରିବାର ସୂତ୍ର ପାଇପାରୁ ନାହାନ୍ତି । ବିଶେଷ କରି ସମସ୍ତଙ୍କ ନଜରରେ ରହିବେ ହ୍ୟାରୀ ବ୍ରୁକ। ଏହି ଗସ୍ତରେ ସେ ୬ଟି ମ୍ୟାଚ୍ (ଟି-ଟ୍ୱେଣ୍ଟି ସିରିଜକୁ ମିଶାଇ)ରୁ ମାତ୍ର ୯୧ ରନ୍ ସଂଗ୍ରହ କରିଛନ୍ତି । ଇଂଲଣ୍ଡ ବର୍ତ୍ତମାନ ତାଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି ।
ଫର୍ମ ଫେରିପାଇବେ ସିନିୟର: ଭାରତୀୟ ଦଳର ୩ ସିନିୟର ବ୍ୟାଟର ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ ରାହୁଲଙ୍କ ପାଇଁ ବାରବାଟୀ ଷ୍ଟାଡ଼ିୟମ୍ ‘ଲକି’ ସାବ୍ୟସ୍ତ ହୋଇପାରେ । ବର୍ତ୍ତମାନ ଏହି ୩ ଖେଳାଳି ଫର୍ମ ଫେରିପାଇବାକୁ ସଂଘର୍ଷ କରୁଛନ୍ତି । ଶେଷ ଥର ପାଇଁ ବାରବାଟୀରେ ଖେଳିଥିବା ଦିନିକିଆରେ ରୋହିତ ୬୩, ରାହୁଲ ୭୭ ଓ କୋହଲି ୮୫ ରନ୍ର ଇନିଂସ ଖେଳିଥିଲେ । ଏଥର ମଧ୍ୟ ବାରବାଟୀ ତାଙ୍କ ସାଥ୍ ଦେବ ବୋଲି ଆଶା କରାଯାଇପାରେ ।




