
ଭୁବନେଶ୍ବର: ବିଜେପିକୁ ଜିତାଇବା ପାଇଁ ସୁପ୍ରିମକୋର୍ଟରେ ମିଥ୍ୟାର ସାହାରା ନେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ସାମ୍ବିଧାନିକ ପଦବୀରେ ରହି ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି କମିଶନର । ଗତ ନିର୍ବାଚନରେ ଅଧିକ ଭୋଟ ପାଇ ବିଜେଡି ହାରିବା ପଛରେ ଇଭିଏମ ଟ୍ୟାମ୍ପରିଂ । ଏସଆଇଆର ପ୍ରକ୍ରିୟାରେ ଫର୍ମ ୬ରେ ପରିବର୍ତ୍ତନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ମୁଖ୍ୟ ନିର୍ବାଚନ କମିଶନର ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜୁ ଜନତା ଦଳ ।ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସ୍ପଷ୍ଟ କରିଛନ୍ତି, ଏସ୍ଆଇଆର ପ୍ରକ୍ରିୟାରେ ଫର୍ମ ୬ରେ ସଂଶୋଧନ କରିବାର କ୍ଷମତା ନିର୍ବାଚନ ଆୟୋଗଙ୍କ ପରିସରଭୁକ୍ତ ନୁହେଁ । ନିର୍ବାଚନ ଆୟୋଗ ଏକ ବିଜ୍ଞପ୍ତି ଜରିଆରେ ସୁପ୍ରିମକୋର୍ଟଙ୍କ ଅନୁମତିରେ ଫର୍ମ ୬ରେ ପରିବର୍ତ୍ତନ ହୋଇଛି ବୋଲି ଯେଉଁ ସଫେଇ ଦେଇଥିଲେ, ସୁପ୍ରିମକୋର୍ଟ ଆଜି ତାକୁ ଖଣ୍ଡନ କରିଛନ୍ତି । ଏହାକୁ ନେଇ ଜାତୀୟ ନିର୍ବାଚନ ଆୟୋଗଙ୍କୁ ବିଜେଡି କଡ଼ା ସମାଲୋଚନା କରିଛି ।
ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,”ଏସ୍ଆଇଆର ପ୍ରକ୍ରିୟାରେ ପୂରା ଭାରତ ବର୍ଷରେ ୧୩ କୋଟି ଭୋଟରଙ୍କୁ ବାଦ ଦିଆଗଲା । ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ୫୦ ହଜାର ଭୋଟରଙ୍କ ନାମକୁ ମନମୁଖୀ ଭାବେ ବାଦ ଦିଆଗଲା । ଭାରତୀୟ ଜନତା ପାର୍ଟିକୁ ଆଗାମୀ ନିର୍ବାଚନରେ ଜିତାଇବା ପାଇଁ ମୁଖ୍ୟ ନିର୍ବାଚନ କମିଶନର ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି । ଭାରତୀୟ ନିର୍ବାଚନ ଆୟୋଗଙ୍କ ଆଇଟି ବିଭାଗର ମୁଖ୍ୟ ସୀମା ଖାନ୍ନା ଇସିଆଇ ନେଟ୍ ଜରିଆରେ ଭୋଟରମାନଙ୍କ ନାମକୁ ଅନୈତିକ ଭାବେ ତାଲିକାରୁ କାଟିଛନ୍ତି ।”
ସେ ଆହୁରି କହିଛନ୍ତି,” ନିର୍ବାଚନ ଆୟୋଗଙ୍କ ଦ୍ୱାରା ଇସିଆଇ ନେଟ ଓ ଫର୍ମ ୬ରେ ଯେଉଁ ପରିବର୍ତ୍ତନ କରାଯାଇଛି, ସେଥିରେ ସୁପ୍ରିମକୋର୍ଟଙ୍କ ଅନୁମତି ରହିଛି ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ମୁଖ୍ୟ ନିର୍ବାଚନ କମିଶନର ଦେଇଥିବା ସ୍ପଷ୍ଟୀକରଣକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଖଣ୍ଡନ କରିଛନ୍ତି । ଏଥିସହିତ ଭାରତ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନୋଟିସ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ମୁଖ୍ୟ ନିର୍ବାଚନ କମିଶନର ସାମ୍ବିଧାନିକ ପଦବୀରେ ରହି ଭାରତୀୟ ଜନତା ପାର୍ଟିକୁ ନିର୍ବାଚନରେ ଜିତାଇବା ପାଇଁ ଅସାମ୍ବିଧାନିକ କାର୍ଯ୍ୟ କରିଛନ୍ତି ।”
ବିଜେଡିର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି,”ସାମ୍ବିଧାନିକ ସଂସ୍ଥା ଭାରତୀୟ ନିର୍ବାଚନ କମିଶନଙ୍କ ଦମ୍ଭୋକ୍ତି ଉପରେ ସୁପ୍ରିମକୋର୍ଟ ଯେଉଁ ସ୍ପଷ୍ଟୀକରଣ ଦେଇଛନ୍ତି । ଏହା ପ୍ରମାଣ କରୁଛି ଯେ ୨୬ ସେପ୍ଟେମ୍ବର, ୨୦୨୬ରେ ନିର୍ବାଚନ କମିଶନର ଯେଉଁ ପ୍ରେସ ବିଜ୍ଞପ୍ତି ଦେଇଥିଲେ, ତାହା ସତ୍ୟ ଓ ତଥ୍ୟ ଉପରେ ଆଧାରିତ ନୁହେଁ । ସୁପ୍ରିମକୋର୍ଟଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ନିର୍ବାଚନ କମିଶନର ଡାହା ମିଛ କହିଥିଲେ । ୨୦୨୪ ନିର୍ବାଚନରେ ମୁଖ୍ୟ ନିର୍ବାଚନ କମିଶନର ଇଭିଏମ ଟ୍ୟାମ୍ପରିଂ କରି ଏକପାଖିଆ ଭାବେ ବିଜେପିକୁ ଜିତାଇଛନ୍ତି । ରାଜ୍ୟରେ ଚାଲିଥିବା ସରକାର ଏକ ଭୋଟ ଚୋରିର ସରକାର । ଇସିଆଇ ଜ୍ଞାନେଶ କୁମାରଙ୍କ ଇସ୍ତଫା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ବାରମ୍ବାର ଦାବି କରିଥିଲେ । ସାମ୍ବିଧାନିକ ସଂସ୍ଥା ନିର୍ବାଚନ କମିଶନଙ୍କ ଉପରୁ ଲୋକଙ୍କ ଭରସା ତୁଟିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ତୁରନ୍ତ ଇସ୍ତଫା ଦିଅନ୍ତୁ ।”








