
ଭୁବନେଶ୍ୱର: ବାଲିଅନ୍ତା ଥାନା ଅଞ୍ଚଳରେ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ମୃତ୍ୟୁ ଘଟଣାରେ ନୂଆ ମୋଡ଼ ଆସିଛି । ସୌମ୍ୟରଞ୍ଜନଙ୍କ ପିତା ଦୁଃଶାସନ ସ୍ୱାଇଁ ହାଇକୋର୍ଟରେ ପୂର୍ବରୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଆବେଦନ କରିଛନ୍ତି ।
ଏହି ମାମଲା ତାଙ୍କ ଅଜାଣତରେ ଦାୟର ହୋଇଥିବା ଅଭିଯୋଗ ଆଣିଛନ୍ତି ସୌମ୍ୟରଞ୍ଜନଙ୍କ ପିତା ଦୁଃଶାସନ ସ୍ୱାଇଁ ଏବଂ ସୌମ୍ୟଙ୍କ ସାଙ୍ଗ ନିଶିକାନ୍ତ ମହାନ୍ତି । ଉଭୟ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଅଜାଣତରେ ତାଙ୍କ ନାମରେ ମାମଲା ଦାୟର କରାଯାଇଛି । ଏପରିକି ମାମଲା ଦାୟର କରିବା ପାଇଁ ସେମାନେ କୌଣସି ସମ୍ମତି ଦେଇନଥିବା ମଧ୍ୟ କହିଛନ୍ତି । ଦୁଃଶାସନ ସ୍ୱାଇଁଙ୍କ ଜାଲ୍ ଦସ୍ତଖତ କରାଯାଇ ମାମଲା ଦାୟର କରା ଯାଇଥିବା ସେମାନେ ଅଭିଯୋଗ କରିଛନ୍ତିି । ତେଣୁ ହାଇକୋର୍ଟରେ ହୋଇଥିବା ଉକ୍ତ ମାମଲାକୁ ପ୍ରତ୍ୟାହାର କରିବାକୁ ସେମାନେ ନିବେଦନ କରିଛନ୍ତି । ଆଜି ସୌମ୍ୟରଞ୍ଜନଙ୍କ ପିତା ଓ ସୌମ୍ୟଙ୍କ ସାଙ୍ଗ ହାଇକୋର୍ଟରେ ଷ୍ଟେଟ ବାର୍ କାଉନସିଲର ଅଧିକାରୀଙ୍କୁ ଭେଟିଛନ୍ତି । ଏନେଇ ସେମାନେ ଏକ ଅଭିଯୋଗପତ୍ର ଦାଖଲ କରିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ, ସମ୍ପୃକ୍ତ ଓକିଲ ଏହି ମାମଲାକୁ ପ୍ରତ୍ୟାହାର କରିବା କଥା କହିଥିବା ସୌମ୍ୟରଞ୍ଜନଙ୍କ ସାଙ୍ଗ ନିଶିକାନ୍ତ ମହାନ୍ତି କହିଛନ୍ତି । ତେବେ ମାମଲା କିପରି ଏବଂ କାହା ସମ୍ମତିରେ ଦାୟର ହୋଇଥିଲା, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ପ୍ରକୃତ ତଦନ୍ତ ଏବଂ ନ୍ୟାୟ ଦାବି କରି ପୂର୍ବରୁ ମଧ୍ୟ ପରିବାର ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ଏବେ ହାଇକୋର୍ଟରେ ହୋଇଥିବା ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ ପରେ ଘଟଣା ନୂଆ ମୋଡ଼ ନେଇଛି ।
ସେପଟେ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି)ରେ ପିଟିସନ୍ କରି ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ଏଥିସହ ସେ ସିବିଆଇ ତଦନ୍ତ ପାଇଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ମେଲ୍ କରି ଜଣାଇଛନ୍ତି । କ୍ରାଇମ୍ବ୍ରାଞ୍ଚ ଠିକ୍ ଭାବେ ତଦନ୍ତ ନ କରି ସମୟ ଗଡ଼ାଉଥିବାରୁ ପ୍ରମାଣ ନଷ୍ଟ ହେବା ସମ୍ଭାବନା ରହିଛି । ତେଣୁ ଏହି ମାମଲାର ଗୁରୁତ୍ୱକୁ ବିଚାରକୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ସେ ଆୟୋଗଙ୍କୁ ପ୍ରାର୍ଥନା କରିଛନ୍ତି ।







