
ନୂଆଦିଲ୍ଲୀ: ଫ୍ଲାଏଦୁବାଇ ଫ୍ଲାଇଟରେ ଅସାଧାରଣ ସାହସିକତା ପାଇଁ ଭାରତୀୟ ପାଇଲଟ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ନାଗରିକ ବୀରତା ସମ୍ମାନ ପ୍ରଦାନ କରାଯିବ । ବିମାନରେ ଥିବା 170ରୁ ଅଧିକ ଯାତ୍ରୀ ଓ ବିମାନ କର୍ମଚାରୀଙ୍କ ଜୀବନ ବଞ୍ଚାଇଥିବା କ୍ୟାପ୍ଟେନ୍ ସ୍ମିତଙ୍କୁ ଇସ୍ରାଏଲର ‘ପ୍ରେସିଡେଣ୍ଟାଲ ଆୱାର୍ଡ ଫର୍ ସିଭିଲିଆନ ହିରୋଜିମ୍’ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ ଗୁରୁବାର ଘୋଷଣା କରିଛନ୍ତି ।
ଇସ୍ରାଏଲର ସରକାରୀ ପ୍ରେସ୍ କାର୍ଯ୍ୟାଳୟ ଅନୁଯାୟୀ, ଗତ ସପ୍ତାହରେ ଫ୍ଲାଏଦୁବାଇ ବିମାନ FZ1073କୁ ଦୁର୍ଘଟଣାଗ୍ରସ୍ତ କରିବାର କଥିତ ପ୍ରୟାସକୁ ପଣ୍ଡ କରିବାରେ ସାହାଯ୍ୟ କରିଥିବା 6 ଜଣ ଇସ୍ରାଏଲ ଯାତ୍ରୀଙ୍କୁ ଇସ୍ରାଏଲର ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରିବା ସମୟରେ ହର୍ଜୋଗ୍ ଏହି ଘୋଷଣା କରିଛନ୍ତି । ଜେରୁସାଲେମରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ଇସ୍ରାଏଲ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ କହିଥିଲେ ଯେ, ଭାରତୀୟ ପାଇଲଟ୍ ସ୍ମିତ ସୁସ୍ଥ ହେବା ପରେ ତାଙ୍କୁ ଇସ୍ରାଏଲର ସର୍ବୋଚ୍ଚ ପୁରସ୍କାର ପ୍ରଦାନ କରାଯିବ ।
ରାଷ୍ଟ୍ରପତି ହର୍ଜୋଗ୍, ସ୍ମିତଙ୍କୁ ସମ୍ମାନିତ କରିବାର ପାଇଁ ଘୋଷଣା କରିବା ସମୟରେ ତାଙ୍କ ସାହସିକତା ଏବଂ ବୃତ୍ତିଗତତାର ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ପାଇଲଟ ସ୍ମିତଙ୍କ କାର୍ଯ୍ୟ ଏକ ବଡ଼ ବିପର୍ଯ୍ୟୟକୁ ଏଡାଇବାରେ ସାହାଯ୍ୟ କରିଥିଲା । ଏହାସହ ସ୍ମିତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ।
ପୁରସ୍କାର ଗ୍ରହଣକାରୀଙ୍କୁ ସମ୍ବୋଧିତ କରି ହର୍ଜୋଗ୍ କହିଥିଲେ, “ଆଜି ଆମେ ଇସ୍ରାଏଲର ଯେଉଁ ବୀରମାନଙ୍କୁ ସମ୍ମାନିତ କରୁଛୁ, ସେମାନଙ୍କ ସହିତ ଭାରତର କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସମ୍ପୂର୍ଣ୍ଣ ଓ ଶୀଘ୍ର ଆରୋଗ୍ୟ ପାଇଁ ମଧ୍ୟ ଆମେ ହୃଦୟର ସହ କାମନା କରୁଛୁ । କ୍ୟାପଟେନ୍ ମଚ୍ଛରଙ୍କ ଅସାଧାରଣ ସାହସ, ବୀରତ୍ୱ ଏବଂ ଆଦର୍ଶଗତ ବୃତ୍ତିଗତ ଦକ୍ଷତା ଯୋଗୁଁ ହିଁ ଏହି ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିବା ପରେ, ଇସ୍ରାଏଲର ଜନସାଧାରଣଙ୍କ ତରଫରୁ ତାଙ୍କୁ ‘ଷ୍ଟେଟ୍ ଅଫ୍ ଇସ୍ରାଏଲ୍ ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର୍ ସିଭିଲିଆନ୍ ହିରୋଇଜମ୍’ (ନାଗରିକ ବୀରତ୍ୱ ପାଇଁ ଇସ୍ରାଏଲ୍ ରାଷ୍ଟ୍ରପତି ପୁରସ୍କାର) ପ୍ରଦାନ କରିବା ମୋ ପାଇଁ ଏକ ସମ୍ମାନ ଓ ଗୌରବର ବିଷୟ ହେବ ।”








