
ଭୁବନେଶ୍ବର: ଦଳର ପ୍ରତିଷ୍ଠା ଦିବସରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପି ସରକାର ଉପରେ ବର୍ଷିଥିଲେ । ବିଜେପି ରାଜ୍ୟବାସୀଙ୍କୁ ମିଛ କହି, ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବୋଲି ନବୀନ କହିଥିଲେ । ଏହାକୁ କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବୀନଙ୍କ କ୍ଷମତା କାଳରେ ଗତ ୨୪ ବର୍ଷରେ ରାଜ୍ୟରେ କ’ଣ ହୋଇଥିଲା ଓ ବିଜେପି ସରକାର କ୍ଷମତାକୁ ଆସିବା ପରେ କ’ଣ କରିଛନ୍ତି, ତାର ଏକ ଉଦାହରଣ ରଖି ଧର୍ମେନ୍ଦ୍ର ନବୀନଙ୍କୁ ପାଲଟା ସମାଲୋଚନା କରିଛନ୍ତି ।
ଗଞ୍ଜାମ ଜିଲ୍ଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି,‘‘ଶାସନ କ୍ଷମତାରେ ନବୀନ ବାବୁ ଥିଲେ । ମାତ୍ର ଗଞ୍ଜାମ ଜିଲ୍ଲାରେ ୭-୮ଟି ବଡ ବଡ ମେଗା ପାଇପ୍ ଓ୍ୱାଟର ଯୋଜନା ଆରମ୍ଭ ହୋଇଥିଲା । ସେଥିମଧ୍ୟରୁ ଗୋଟିଏକୁ ଛାଡି ଅନ୍ୟ ୬ଟି ପ୍ରକଳ୍ପର କାମ ଅଧାପନ୍ତରା ହୋଇପଡିଛି । ଗଞ୍ଜାମ ଜିଲ୍ଲା ଗସ୍ତ ସମୟରେ ଆମେ ବିଭିନ୍ନ ସ୍ଥାନରେ ପାଇପ ବିଚ୍ଛା ଯାଇଥିବା ଦେଖିବାକୁ ପାଇଲୁ । ନଳ ଅଛି, ହେଲେ ଜଳ ନାହିଁ । ଭଞ୍ଜନଗର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଗ୍ରାମ ହୋଇଥିବା ବେଳେ ଏଠାରେ ୨୪ ବର୍ଷର ଶାସନରେ ଯଦି ଏହି କାର୍ୟ୍ୟ ହୋଇପାରିଲା ନାହିଁ, ତେବେ ଏହାକୁ କଣ କୁହାଯିବ ।’’ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି,‘‘ଗଞ୍ଜାମ ଜିଲ୍ଲାରେ ବିଜେପି ସରକାର ସୁଭଦ୍ରା ଯୋଜନାରେ ୫୦୦ କୋଟିରୁ ଅଧିକ ଟଙ୍କା ମା’-ଭଉଣୀଙ୍କ ବ୍ୟାଙ୍କ ଖାତାରେ ପହଞ୍ଚି ସାରିଛି । ଏହି ସଂଖ୍ୟା ଆଗାମୀ ଆର୍ଥିକବର୍ଷ ସୁଦ୍ଧା ୧୦୦୦ କୋଟି ଟଙ୍କାରେ ପହଞ୍ଚିବ । ଏପରିକି ଗଞ୍ଜାମରେ ଏହି ଯୋଜନାରେ ପ୍ରାୟ ୧୦ ଲକ୍ଷ ଲାଭାର୍ଥୀ ଅଛନ୍ତି । ଜିଲ୍ଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୪ ଲକ୍ଷ କ୍ୱିଣ୍ଟାଲ ଧାନ କିଣବାର ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । କେବଳ ରାଜ୍ୟ ସରକାର କୁଇଣ୍ଟାଲ ପିଛା ଧାନରେ ‘ଏମଏସପି’ ବାବଦକୁ ୩୧୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ଗଞ୍ଜାମ ଜିଲ୍ଲାକୁ ଆହୁରି ୪୦୦ରୁ ୫୦୦ କୋଟି ଟଙ୍କା ମିଳିବ । ଯଦି ଏହା କାହାକୁ ମିଛ ଲାଗେ, ତେବେ କ’ଣ କୁହାଯିବ ? ସ୍ୱର୍ଗକୁ ନିଶୁଣି ନାହିଁ, ବଡ ଲୋକଙ୍କୁ ଉତ୍ତର ନାହିଁ । ତାଙ୍କୁ କିଏ ଲେଖିକି ଦେଇଥିବ, ସେ ପଢି ଦେଇଥିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।




