
ମୁମ୍ବାଇ: ହସ୍ପିଟାଲରୁ ଡିସଚାର୍ଜ ହେଲେ ବଲିଉଡ ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ବୁଧବାର ସକାଳେ ତାଙ୍କୁ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଧର୍ମେନ୍ଦ୍ର ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ପରିବାର ପକ୍ଷରୁ ତାଙ୍କୁ ଘରକୁ ନେବାକୁ ନିଷ୍ପତ୍ତି ନେବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ଡିସଚାର୍ଜ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଧର୍ମେନ୍ଦ୍ରଙ୍କୁ ଚିକିତ୍ସା କରୁଥିବା ଡାକ୍ତର ।
ଡାକ୍ତର ପ୍ରତିତ୍ ସମଦାନୀ କହିଛନ୍ତି, “ଆଜି ସକାଳ ପାଖାପାଖି 7.30ଟାରେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ଘରେ ତାଙ୍କର ଚିକିତ୍ସା କରାଯିବ । ତାଙ୍କ ପରିବାର ଲୋକ ତାଙ୍କୁ ଘରେ ଚିକିତ୍ସା ଯୋଗାଇ ଦେବାକୁ ନିଷ୍ପତ୍ତି ନେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।” ତେବେ ଅସୁସ୍ଥତା ପାଇଁ 89 ବର୍ଷିୟ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲ ସପ୍ତାହେ ଧରି ଚିକିତ୍ସିତ ହେଉଥିଲେ । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।
ମଙ୍ଗଳବାର ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅନେକ ବିଶିଷ୍ଟ ବ୍ୟକ୍ତି ବରିଷ୍ଠ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । କିନ୍ତୁ ଧର୍ମେନ୍ଦ୍ରଙ୍କ ଝିଅ ଈଶା ଦେଓଲ ସୋସିଆଲ ମିଡିଆ ପୋଷ୍ଟରେ ଏପରି ଗୁଜବକୁ ଖଣ୍ଡନ କରିଥିଲେ ।
ସୋସିଆଲ ମିଡିଆରେ ପୋଷ୍ଟ କରି ଈଶା ଲେଖିଥିଲେ “ମୋ ବାପାଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି ଏବଂ ସେ ସୁସ୍ଥ ହେଉଛନ୍ତି । ଆମ ପରିବାରର ଗୋପନୀୟତା ରଖିବାକୁ ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ । ବାପାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା ପାଇଁ ଧନ୍ୟବାଦ ।”




