
ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ରେଞ୍ଜ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋରଡପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି।ମୃତକ ହେଉଛନ୍ତି କୋରଡ଼ପଶି ଗ୍ରାମର କୁହ୍ଲ ନାୟକ(୬୦)। ସେ ନିଜ ଗ୍ରାମ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଛି।ଘଟଣା ଘଟିବା ପରେ ସ୍ଥାନୀୟ ଲୋକମାନେ ବନ ବିଭାଗ ଓ ପୁଲିସ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ,ଫରେଷ୍ଟର ମନ୍ମଥ ବେହେରା, କୁଣ୍ଢେଇଗୋଳା ଥାନା ଅଧିକାରୀ ଜନ୍ କୁଜୁର୍ ଓ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମୃତକଙ୍କର ଶବ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି ।




