
ପୁରୀ,: ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ ୩ ବର୍ଷ ଧରି ପ୍ରଚେଷ୍ଟା ବିଫଳ ହେବା ପରେ ୨୦୨୫ରେ ସଫଳତାର ସହ ନାମାଙ୍କନ ଦାଖଲ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରଥଯାତ୍ରାକୁ ବିଧିବଦ୍ଧ ଭାବରେ ଜାତୀୟ ଐତିହ୍ୟ ତାଲିକାଭୁକ୍ତ କରାଯାଇ ସାରିଛି । ପ୍ୟାରିସରେ ବସିବାକୁ ଥିବା ଆସନ୍ତା ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଂକୁ ରହିଛି ଅପେକ୍ଷା । ଏହି ବୈଠକ ନଭେମ୍ବରରୁ ଡିସେମ୍ବର ଭିତରେ ହେବାର ରହିଛି ।
ଉଦ୍ୟମ ସଫଳ ହେଲେ ଚଳିତ ରଥଯାତ୍ରା ଅବସରରେ ପୁରୀ ଆସି ସମୀକ୍ଷା କରିପାରେ ୟୁନେସ୍କୋ ଟିମ୍ । ୟୁନେସ୍କୋର ଆସନ୍ତା ବୈଠକ ପରେ ବିଭିନ୍ନ ଦେଶର ଭୋଟିଂ ପରେ ଐତିହ୍ୟ ମାନ୍ୟତା ମିଳିପାରିବା ଆଶା ରହିଛି ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ । ମାନ୍ୟତା ମିଳିବା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ମୂଳ ପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା ଉପରେ ବେଶି ଅବଗତ ହୋଇପାରିବେ ବିଶ୍ୱବାସୀ । ଫଳରେ ଅଦିନିଆ ରଥଯାତ୍ରାରେ ରୋକ୍ ଲାଗିବା ନେଇ ଆଶା କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ବିଶ୍ୱରେ ୬୦୦ରୁ ଅଧିକ ଉପାଦାନ ମଧ୍ୟରେ ୪୦ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ କଲ୍ଚରାଲ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇଥିବା ବେଳେ ଭାରତର ହିମାଚଳ ପ୍ରଦେଶର ରମ୍ମନ, କୁମ୍ଭମେଳା, ଦୁର୍ଗାପୂଜା ଭଳି ପର୍ବକୁ ମାନ୍ୟତା ମିଳିସାରିଛି ।


