
ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ କଲବଲ ସାରା ଓଡ଼ିଶା । ତାତିରୁ ନାହିଁ ନିସ୍ତାର । ଶନିବାର ୪୨ ଡିଗ୍ରୀ ଟପିଲା ତାପମାତ୍ରା । ଦିନ ୨ ଟା ୩୦ ମିନିଟ୍ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ ସମ୍ବଲପୁରରେ ୪୨ ଡ଼ିଗ୍ରୀ ଛୁଇଁଛି ତାପମାତ୍ରା । ସେହିଭଳି ଝାରସୁଗୁଡାରେ ୪୦.୪ ଡ଼ିଗ୍ରୀ, ହୀରାକୁଦରେ ୪୦.୪ ଡ଼ିଗ୍ରୀ, ରାଉରକେଲାରେ ୩୮.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୩୮ ଡ଼ିଗ୍ରୀ, କେନ୍ଦୁଝରରେ ୩୭.୮ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ୩୮ ଟପିଥିଲା ତାପମାତ୍ରା । ସେହିଭଳି ସମ୍ବଲପୁରରେ ୩୮.୮ ଡ଼ିଗ୍ରୀ, ଝାରସୁଗୁଡାରେ ୩୮ ଡ଼ିଗ୍ରୀ ଏବଂ ହୀରାକୁଦରେ ୩୭.୪ ଡ଼ିଗ୍ରୀ ରେକର୍ଡ କରାଯାଇଥିଲା ।
ସେପଟେ ଆସନ୍ତା ଦୁଇ ଦିନ ତାତିରୁ ନିସ୍ତାର ମିଳିବନି । ଗ୍ରୀଷ୍ମ ପ୍ରବାହରେ କଲବଲ ହେବ ଓଡ଼ିଶା । ୧ ତାରିଖ ବେଳକୁ ହାଲୁକା ଖସିପାରେ ପାରଦ । ସମ୍ଭବତଃ କାଳବୈଶାଖୀ କିଛି ଆଶ୍ୱସ୍ତି ଦେଇପାରେ । ବିଭିନ୍ନ ମଡେଲ୍ର ପୂର୍ବାନୁମାନ ଅନୁସାରେ ଦକ୍ଷିଣ ଚୀନ୍ ସାଗରରେ ଥିବା ଲଘୁଚାପର ଅଂଶ ବଙ୍ଗୋପସାଗରକୁ ଆସନ୍ତା ସପ୍ତାହରେ ପ୍ରବେଶ କରିବ । ଏହା ପ୍ରଭାବରେ ଏପ୍ରିଲ ୩ରୁ ୫ ତାରିଖ ଭିତରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର କିଛି ପରିମାଣରେ ସମ୍ଭାବନା ରହିଛି । ଏପରିକି ଆଉ ଏକ ମଡେଲ୍ ଗ୍ରୀଷ୍ମକାଳୀନ ବାତ୍ୟା ସମ୍ଭାବନା ନେଇ ମଧ୍ୟ ଆକଳନ କରିଛନ୍ତି । ମାତ୍ର ଏବେଠାରୁ ସ୍ପଷ୍ଟ ଆକଳନ ସହଜ ନୁହେଁ । ପାଣିପାଗ ବୈଜ୍ଞାନିକଙ୍କ ମତରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯେତେ ଶକ୍ତିଶାଳୀ ହେବ, ତାହା ସେତେ ଅଧିକ ଜଳୀୟବାଷ୍ପ ଟାଣି ନେବ । ଫଳରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢ଼ିପାରେ ।







