
ଭୁବନେଶ୍ବର: ଚଳିତ ମାସ ୭ ଓ ୮ତାରିଖରେ ନୂଆଦିଲ୍ଲୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ଏହି ଅବସରରେ ଅଗ୍ରଣୀ ଶିଳ୍ପସଂସ୍ଥା, ଏମ୍ଏସ୍ଏମ୍ଇ, ଆଗାମୀ ଦିନର ବ୍ୟବସାୟୀ, ବାଣିଜ୍ୟ ସଂଘର କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ।
ଏ ନେଇ ଆସୋଚାମ୍ ସହଯୋଗରେ ୭ ତାରିଖ ଦିନ ଓଡ଼ିଶା ଫୁଡ୍ ପ୍ରୋ-୨୦୨୬ ସମ୍ମିଳନୀ ଆୟୋଜନ କରାଯିବ। ଏହି ରୋଡ୍ ଶୋ’ ଜରିଆରେ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀ, ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ଓଡ଼ିଶାରେ ଥିବା ସମ୍ଭାବନାକୁ ଉଜାଗର କରାଯିବ। ଏହି ଅବସରରେ ଖାଦ୍ୟ ପ୍ରକ୍ରିୟାକରଣ ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚନ କରାଯିବ। ଏହାସହ ଇସ୍ପାତ, କେମିକାଲ, ବୟନ, ପ୍ରସାଧନ, ପେଟ୍ରୋକେମିକାଲ ଆଦି କ୍ଷେତ୍ର ସହ ଜଡ଼ିତ ଉଦ୍ୟୋଗୀ ତଥା ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ। ୮ରେ ଗ୍ରେଟର୍ ନୋଏଡାରେ ଆଲୁମିନିୟମ୍ ସହ ଜଡ଼ିତ ଶିଳ୍ପସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯିବ। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ।




