
ମାତ୍ର ଅଢ଼େଇ ଦିନରେ ଶେଷ ହୋଇଛି ଟେଷ୍ଟ ମ୍ୟାଚ୍। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ହାସଲ କରିଛି ବଡ଼ ବିଜୟ। ୱେଷ୍ଟଇଣ୍ଡିଜ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍କୁ ଭାରତୀୟ ଟିମ ଗୋଟିଏ ଇନିଂସ ଓ ୧୪୦ ରନରେ ଜିତି ନେଇଛି। ଏଥିସହ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି। ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ, ମହମ୍ମଦ ସିରାଜଙ୍କ ଘାତକ ବୋଲି, କେଏଲ ରାହୁଲ ଓ ଧ୍ରୁବ ଜୁରେଲଙ୍କ ପ୍ରଥମ ଟେଷ୍ଟ ଶତକ ବଳରେ ଭାରତୀୟ ଟିମ ଘରୋଇ ମାଟିରେ ଇଣ୍ଡିଜ ଟିମକୁ ଧରାଶାୟୀ କରିଛି।
ଶୁବମନ ଗିଲ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ହେବା ପରେ ଘରୋଇ ମାଟିରେ କୌଣସି ଟେଷ୍ଟ ମ୍ୟାଚ୍ ଖେଳୁଥିଲା। ଆଉ ଏହି ମ୍ୟାଚ୍କୁ ଭାରତୀୟ ଟିମ ତୃତୀୟ ଦିନର ଚା’ ପାନ ବିରତି ପୂର୍ବରୁ ଶେଷ କରିଦେଇଛି। ରବୀନ୍ଦ୍ର ଜାଡେଜା ବ୍ୟାଟିଂରେ ଅପରାଜିତ ୧୦୯ କରିଥିବା ବେଳେ ବୋଲିଂରେ ଦ୍ୱିତୀୟ ଇନିଂସରେ ୪ ୱିକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କ ବ୍ୟତୀତ ମହମ୍ମଦ ସିରାଜ ୨ଟି ଇନିଂସରେ ୭ ୱିକେଟ ଦଖଲ କରି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ ଟିମ ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମ ଇନିଂସରେ କେବଳ ୧୬୨ ରନ କରି ପାରିଥିଲା। ସିରାଜ ୪ଟି ୱିକେଟ ନେଇଥିବା ବେଳେ ବୁମ୍ରା ୩ଟି ସଫଳତା ପାଇଥିଲେ। ସେହିପରି ଏସିଆ କପରେ ନିଜର ଜଲୱା ଦେଖାଇଥିବା କୁଲଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦରଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଥିଲା। ପ୍ରଥମ ଦିନର ଚା’ ପାନ ବିରତି ପୂର୍ବରୁ ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।
ଏହାପରେ ଭାରତ ବ୍ୟାଟିଂ କରିବା ସହ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୨ ୱିକେଟ ହରାଇ ୧୨୧ ରନ କରି ନେଇଥିଲା। ଦ୍ୱିତୀୟ ଦିନରେ ଭାରତୀୟ ବ୍ୟାଟର ରନ ବର୍ଷା କରିଥିଲେ। ପ୍ରଥମେ କେଏଲ ରାହୁଲ ଦୀର୍ଘ ୯ ବର୍ଷ ପରେ ଘରୋଇ ମାଟିରେ ଖେଳୁଥିବା କୌଣସି ଟେଷ୍ଟରେ ଶତକ ହାସଲ କରିଥିଲେ। ତାଙ୍କ ପୂର୍ବରୁ ଶୁବମନ ଗିଲ ୫୦ ରନ କରି ଆଉଟ ହୋଇଥିଲେ। ରାହୁଲଙ୍କ ପରେ ଧ୍ରୁବ ଜୁରେଲ ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ମାରିଥିଲେ। ସେ ୧୨୫ ରନର ଇନିଂସ ଖେଳିଛନ୍ତି।
ଶେଷ ଭାଗରେ ଭାରତ ପାଇଁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଶତକ ହାସଲ କରିଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ଭାରତ ୫ ୱିକେଟ ହରାଇ ୪୪୮ ରନ କରି ନେଇଥିଲା। ସେହିପରି ଦଳର ଲିଡ ୨୮୬ ରନରେ ପହଞ୍ଚି ଯାଇଥିଲା। ଜାଡେଜା ୧୦୯ ଓ ୱାଶିଂଟନ ସୁନ୍ଦର ୯ ରନ କରି ଅପରାଜିତ ରହିଥିଲେ। ଲାଗୁଥିଲା ଭାରତ ତୃତୀୟ ଦିନରେ କିଛି ସମୟ ବ୍ୟାଟିଂ କରିବ। କିନ୍ତୁ ଆଜି ଖେଳ ଆରମ୍ଭ ପୂର୍ବରୁ ହିଁ ଭାରତ ତା’ର ପ୍ରଥମ ଇନିଂସ ଘୋଷଣା କରି ଦେଇଥିଲା।
ଭାରତ ପାଳି ଘୋଷଣା କରିବାରୁ ଇଣ୍ଡିଜ ଟିମ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ପ୍ରଥମ ଇନିଂସ ଭଳି ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଲିକ ଅଥଞ୍ଜେ(୩୮) ଓ ଜଷ୍ଟିସ ଗ୍ରେବ୍ସ(୨୫)ଙ୍କୁ ଛାଡ଼ି ଦେଲେଆଉ କୌଣସି ବ୍ୟାଟର ଭାରତୀୟ ବୋଲରଙ୍କୁ ସାମ୍ନା କରି ପାରି ନଥିଲେ।
ଶେଷରେ ୱେଷ୍ଟଇଣ୍ଡିଜ ଟିମ ଦ୍ୱିତୀୟ ଇନିଂସରେ ମାତ୍ର ୧୪୬ କରି ଅଲଆଉଟ ହୋଇଯାଇଛି। ଫଳରେ ଭାରତ ଗୋଟିଏ ଇନିଂସ ଓ ୧୪୦ ରନରେ ପ୍ରଥମ ଟେଷ୍ଟକୁ ଜିତି ନେଇଛି।
ପ୍ରଥମ ଇନିଂସରେ ୱିକେଟ ପାଇ ନଥିବା ଜାଡେଜା ଦ୍ୱିତୀୟ ପାଳିରେ ୪ଟି ସଫଳତା ପାଇଥିବା ବେଳେ ସିରାଜ ୩ଟି, କୁଲଦୀପ ଯାଦବ ୨ଟି ଓ ୱାଶିଂଟନ ସୁନ୍ଦର ଗୋଟିଏ ୱିକେଟ ପାଇଛନ୍ତି।




