
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହିକୁ ନେଇ ଏବେ ରାଜନୀତି ଜୋର ଧରିଛି । ଏହାରି ଭିତରେ ରୁବେନଙ୍କ ବହିକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ଆକ୍ଷେପ କରିବା ପରେ ବିଜେପି ବିଧାୟକ ବାବୁ ସିଂ ଏହାକୁ କାଉଣ୍ଟର କରିଛନ୍ତି ।
ବାହୁ ସିଂ କହିଛନ୍ତି ଯେ ରୁବେନ ବାନାର୍ଜୀ ଅପ୍ରିୟ ସତ୍ୟ କଥା ଲେଖିବା ବିଜେଡି ଦେହରେ ଯାଉନି । ପୂର୍ବରୁ ଯେତେବେଳେ ଲେଖୁଥିଲେ ସେତେବେଳେ ଭଲ ଥିଲେ । ଆଜି ଅପ୍ରିୟ ସତ୍ୟ ଲେଖିଲେ ବୋଲି ବିଜେଡି ଏମିତି କହୁଛି । ରୁବେନ ବାନାର୍ଜୀଙ୍କ କଥା ସେତେବେଳେ ବି ସତ, ଏବେ ବି ସତ । ତେଣୁ ବିଜେଡି ନେତା ତାକୁ ଗ୍ରହଣ କରିବା ଶିଖନ୍ତୁ ବୋଲି ବାବୁ ସିଂ କହିଛନ୍ତି ।
ପ୍ରକାଶଯେ ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି । ବହିରେ ଥିବା ତଥ୍ୟକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ ଦୀର୍ଘ ବର୍ଷ ହେବ ରୁବେନ ବାନାର୍ଜୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିନାହାନ୍ତି । ଯାହା ଫଳରେ ପ୍ରକୃତ କଥା ବହିରେ ସେ ଲେଖିନାହାନ୍ତି । ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟକୁ ରୁବେନ ବାନାର୍ଜୀ ନିଜ ବହିଲେ ଉଲ୍ଲେଖ କରିଛନ୍ତି । ନିର୍ବାଚନ ବେଳେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା । ଆଣ୍ଟି ବିଜେଡି ଓ ନବୀନ ବିରୋଧଙ୍କ ସହ ଆଲୋଚନା କରି ରୁବେନ ବାନାର୍ଜୀ ନିଜ ବହି ଲେଖିଛନ୍ତି । ଆମେ ରୁବେନଙ୍କ ବହିକୁ ପ୍ରତ୍ୟାଖାନ କରୁଛୁ । ଓଡ଼ିଶାବାସୀ ମଧ୍ୟ ପ୍ରତ୍ୟାଖାନ କରିବେ ବୋଲି ଅରୁଣ ସାହୁ କହିଛନ୍ତି ।
ପ୍ରକାଶ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଦେଶର ଜଣାଶୁଣା ଲେଖକ ରୁବେନ ବାନାର୍ଜୀଙ୍କ ଆଉ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିର ନାମ ହେଉଛି “Naveen Patnaik- The Authoritative Biography Revised After 2024 Elections” । 2024 ନିର୍ବାଚନ ପରେ ନବୀନ ପଟ୍ଟନାୟକଙ୍କ ସଂଶୋଧିତ ଜୀବନୀ ଉପରେ ଆଧାରିତ ଏହି ବହି । ବିଶେଷ ଭାବେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟରେ ଏହି ବହିରେ ଅଛି । 2024 ନିର୍ବାଚନରେ ନବୀନ ହାରିବାର କାରଣ ବି ବହିରେ ଲେଖା ଅଛି । ଏପରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପୁସ୍ତକରେ ଉଲ୍ଲେଖ ରହିଛି ।
ରାଜନୀତିରେ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ଆବିର୍ଭାବ ଏବଂ ଦବଦବା ଉପରେ “ପାଣ୍ଡିଆନ ପଜଲ” ଶୀର୍ଷକ ବଡ଼ ଅଧ୍ୟାୟ ରହିଛି । 10 ହାଜର ଶବ୍ଦକୁ ନେଇ ପାଣ୍ଡିଆନଙ୍କ ଅଧ୍ୟାୟ ଲେଖାଯାଇଛି । ପ୍ରଶାସକ ଥିବା ସମୟରେ ଓଡିଶା ରାଜନୀତିରେ 2018 ପରେ ପାଣ୍ଡିଆନଙ୍କ ପ୍ରଭାବ ଅଧିକ ବଢିଥିଲା । ପାଣ୍ଡିଆନଙ୍କ ଆବିର୍ଭାବ କେମିତି ଓ କାହିଁକି ହେଲା ? ପାଣ୍ଡିଆନ ସରକାରକୁ କେମିତି ଅକ୍ତିଆର କରିଥିଲେ । ନବୀନ ପଟ୍ଟନାୟକ ଏହାକୁ ଅନୁମତି କେମିତି ଦେଇଥିଲେ ? ଏହାକୁ ନେଇ ସେତେବେଳେ ବହୁତ ଚର୍ଚ୍ଚା ଓ ଆଲୋଚନା ହେଉଥିଲା । ନବୀନଙ୍କ ଭଉଣୀ ଗୀତା ମେହେଟ୍ଟା ଯେତେବେଳେ ହସ୍ପିଟାଲରେ ଥିଲେ, କିଛି ଲୋକ ତାଙ୍କୁ ଦେଖା କରିବାକୁ ଯାଉଥିଲେ । ଜଣେ ଦୁଇ ଜଣଙ୍କୁ ଗୀତା ମେହେଟା କହିଛନ୍ତି, ପାଣ୍ଡିଆନ ନବୀନଙ୍କୁ ବିଭ୍ରାନ୍ତ କରୁନାହାନ୍ତି ତ ? ପାଣ୍ଡିଆନ ରାଜ୍ୟର ଅନ୍ୟ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ଜଣେ ବ୍ୟତିକ୍ରମ ଥିଲେ । ତେଣୁ ସେ ଆସିଲେ କେମିତି, ତାଙ୍କୁ କିଏ ଚୟନ କରିଥିଲା ? ଏ ବାବଦରେ ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି ।




