
ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଅବସରପ୍ରାପ୍ତ) ଚିତ୍ତରଞ୍ଜନ ପରିଡ଼ା। ଭୁବନେଶ୍ୱର ଭିଜିଲାନ୍ସର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହିତ ତାଙ୍କ ଉପରେ ଜୋରିମାନା ପକାଇଛନ୍ତି କୋର୍ଟ। ଏକ ରାସ୍ତା କାମର ଫାଇନାଲ ବିଲ୍ କରିଦେବାକୁ ଶ୍ରୀ ପରିଡ଼ା ଜଣେ ଠିକାଦାରଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। କୋର୍ଟରେ ମାମଲାର ଶୁଣାଣି ଚାଲିଥିବା ବେଳେ ଆଜି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦିଆଯାଇଛି। ଶ୍ରୀ ପରିଡ଼ା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଥିବା ବେଳେ ତାଙ୍କ ପେନସନ ବନ୍ଦ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ତିନି ଦିନ ତଳେ ଲାଞ୍ଚ ମାମଲାରେ ବରଗଡ଼ ଜିଲ୍ଲା ବିଜେପୁରର ପୂର୍ବତନ ଅତିରିକ୍ତ ତହସିଲଦାର (ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ) ତଥା ଓଏଏସ୍ ଅଫିସର ଗୋବିନ୍ଦ ଦଣ୍ଡସେନା ଦୋଷୀ ସାବ୍ୟସ୍ତ ହୋଇଥିଲେ। ବରଗଡ଼ର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୩ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଜୋରିମାନା ପକାଇଥିଲେ।




