
ଭୁବନେଶ୍ୱର, ୨୪ ।୧୦ : ୨୦୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ସହ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ବର୍ତ୍ତମାନ ଓଡ଼ିଶାର ସହରୀକରଣ ୧୭% ଥିବାବେଳେ ୨୦୩୬ ସୁଦ୍ଧା ଏହା ୪୦%କୁ ବୃଦ୍ଧି ହେବ । ଏଥିପାଇଁ ଅତ୍ୟାଧୁନିକ ଭିତ୍ତିଭୂମି ଓ ଆଧୁନିକ ସଂସ୍ଥାର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଭୁବନେଶ୍ୱରଠାରେ ଆୟୋଜିତ ନାସନାଲ ଅର୍ବାନ୍ କନକ୍ଳେଭ-୨୦୨୬ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ପିଏମ ଇ-ବସ୍ ସେବା ଅଧିନରେ ୨୬ ଇ-ବସ୍ ସେବାର ଶୁଭାରମ୍ଭ କରାଯାଇଥିବା ବେଳେ ଏହା ଅଧିନରେ ଆହୁରି ୪ ଶହ ଇ-ବସ୍, ୧୦୦ ମିଡି ଓ ୫୦ଟି ମିନି ଇ-ବସ୍ ଯୋଡ଼ିହେବ । ବର୍ତ୍ତମାନ କ୍ରୁଟ୍ ଜରିଆରେ ୭ଟି ସହରରେ ଆମ ବସ୍ ସେବା ଯୋଗାଇ ଦିଆଯାଉଛି । ନୂଆ ଇ-ବସ୍ ଆସିବା ପରେ ଆଉ ୯ଟି ସହରରେ ଇ-ବସ୍ ସେବା ପ୍ରଦାନ କରାଯିବ । ଏହି ସହରଗୁଡିକ ହେଲା ବାରିପଦା, ଅନୁଗୋଳ, ଝାରସୁଗୁଡା, ବାଲେଶ୍ୱର, ଯାଜପୁର, ରାୟଗଡା, ଜୟପୁର, ଭଦ୍ରକ ଓ ବଲାଙ୍ଗୀର ସହରରେ ଇ-ବସ୍ ସେବା କାର୍ଯ୍ୟକାରୀ ହେବ ।
ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ‘ଚାଲିବାର ଅଧିକାର’ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ସହରୀ ପରିବହନରେ ସୁରକ୍ଷିତ ଫୁଟପାଥ୍, କ୍ରସିଂ ଓ ପବ୍ଲିକ ସ୍ପେସ୍ ପ୍ଲାନିଂର ମୁଖ୍ୟ ଅଂଶ ଅଟେ । ରାଜ୍ୟର କ୍ରୁଟ୍ ନେଟୱାର୍କ ୨୦୧୮ରେ ୨ ଶହ ବସ୍ରୁ ଆରମ୍ଭ ହୋଇ ଆଜି ୭୭୦ ବସ୍ ସହ ୧୩୮ ରୁଟ୍ରେ ୭ ସହରକୁ ସଂଯୋଗ କରୁଛି । ଯେଉଁଥିରେ ଦୈନିକ ୩.୫ ଲକ୍ଷ ଯାତ୍ରୀ ଯାତାୟାତ କରୁଛନ୍ତି । ଏହା ସହିତ ‘ଓଡ଼ିଶା ୟାତ୍ରୀ ଆପ୍’ ଜରିଆରେ ଡିଜିଟାଲ ଟିକେଟଙ୍ଗ୍ ସୁବିଧା ସହିତ ୯ ଲକ୍ଷରୁ ଉର୍ଦ୍ଧ୍ୱ ବସ୍ ଯାତ୍ରା ହୋଇଛି । ଯେଉଁଥିରେ ଚାଳକମାନେ ୧୨ କୋଟି ଟଙ୍କାର ରୋଜଗାର ପାଇଛନ୍ତି ।
ଏହି ଅବସରରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ, ନୀତି ଆୟୋଗର ସିଇଓ ଅନୁରାଗ ଜୈନ, କେନ୍ଦ୍ର ସରକାରଙ୍କ ସହରୀ ବିକାଶ ବିଭାଗ ସଚିବ ସତେନ୍ଦ୍ର ପାଲ ସିଂହ, କେନ୍ଦ୍ର ଗୃହ ନିର୍ମାଣ ଓ ସହରୀ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ, ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନେକ ଅଧିକାରୀ, ବିଶେଷଜ୍ଞ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।







