
ଭୁବନେଶ୍ୱର : ପାରଳାଖେମୁଣ୍ଡି, ବୌଦ୍ଧ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଶନିବାର କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି। ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, କାଳବୈଶାଖୀ ପ୍ରକୋପ ଆହୁରି ୪ଦିନ ଯାଏ ରହିବ। ରାଜ୍ୟର ଅନେକ ସ୍ଥାନରେ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା, ପବନ, କୁଆପଥର ମାଡ଼ ଆଶଙ୍କା ରହିଛି। ଏହାର ପ୍ରଭାବରେ ତାପମାତ୍ରା ବଢ଼ିବନି। ୮ ତାରିଖଠାରୁ ରାଜ୍ୟରେ ତାତି ବଢ଼ିବା ସମ୍ଭାବନା ଅଛି। ଆସନ୍ତା ୮ରୁ ୧୪ ତାରିଖ ଭିତରେ ପୁଣି ତାପମାତ୍ରା ୧ରୁ ୩ ଡିଗ୍ରୀ ସେଲସିୟସ୍ ବଢ଼ିପାରେ। ଅଳ୍ପ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲେଉଟିପାରେ ।
୫, ୬, ୭ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରକୋପ ରହିବାର ସମ୍ଭାବନା ଅଛି । ୮ ତାରିଖରୁ କାଳବୈଶାଖୀ ପ୍ରକୋପ କମିବ । ତଥାପି ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ଶୁକ୍ରବାର ତୁଳନାରେ ଶନିବାର ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିଥିଲା ।
ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଅନୁସାରେ ଆସନ୍ତା ୮ରୁ ୧୪ ତାରିଖ ଭିତରେ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ୧ରୁ ୩ ଡିଗ୍ରୀ ଅଧିକ ରହିପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁସାରେ ଆସନ୍ତା ୪ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ତାପରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ପାରଦ ।








