
ରାଇକିଆ: ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ସମନ୍ୱିତ ଶିଶୁ ବିକାଶ ସେବା (ଆଇସିଡିଏସ୍) ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ‘ଆଙ୍ଗନ କା ଉତ୍ସବ’ ପାଳନ କରାଯାଉଛି। ଏହି କ୍ରମରେ ରାଇକିଆ ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ତିନିଦିନିଆ ଉତ୍ସବ ପାଳିତ ହୋଇଯାଇଛି। ରାଇକିଆ ପଞ୍ଚାୟତ ଅନ୍ତର୍ଗତ ହାଟପଦା (କ) ଓ (ଖ) ଅଙ୍ଗନବାଡି କେନ୍ଦ୍ରରେ ମଧ୍ୟ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା।ଅଙ୍ଗନବାଡି କର୍ମୀ ସୁନନ୍ଦା ପ୍ରଧାନ ଓ ତପୋଇ ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଉତ୍ସବରେ ରାଇକିଆ ନାଏବ ସରପଞ୍ଚ ନିଥାଇଲ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦୁତି କୃଷ୍ଣ ପଣ୍ଡା, ମଙ୍ଗୁଳୁ ପାତ୍ର ଓ ୱାର୍ଡ ସଭ୍ୟା କାଦମ୍ବରୀ ଦିଗାଳ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।ଏହି ଅବସରରେ କୁନି କୁନି ଶିଶୁଙ୍କ ମଧ୍ୟରେ ଚିତ୍ରାଙ୍କନ, ଗୀତ, ନୃତ୍ୟ ଓ ଗପ କହିବା ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିଶୁମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ଅତିଥିମାନେ ସାର୍ଟିଫିକେଟ ସହ ବିଭିନ୍ନ ପ୍ରକାର ଫଳ ଥିବା ବାସ୍କେଟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଅଙ୍ଗନବାଡି କେନ୍ଦ୍ରର ଶିଶୁ, ଆଶାକର୍ମୀ, ଗର୍ଭବତୀ ମହିଳା ଓ ଅଭିଭାବକମାନେ ଯୋଗଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା







