
ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୭.୦୦ଟା (ପାଖାପାଖି ୪.୩୦) ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସାଧାରଣତଃ ଆମେ ଜାଣୁ, ଯେ ‘ନୀଳାଦ୍ରି ବିଜେ’ ହେଉଛି ରଥଯାତ୍ରାର ଅନ୍ତିମ ପର୍ବ । ସେଦିନ ଦେବୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ, ଶ୍ରୀଜଗନ୍ନାଥ ଯାଇ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିଜେ ହେବା ପରେ, ରଥଯାତ୍ରାର ସବୁ ନୀତି ଶେଷ ହୋଇଥାଏ । ମାତ୍ର ନୀଳାଦ୍ରିବିଜେ ପରେ ମଧ୍ୟ, ଆଉ ତିନିଟି ନୀତି ବାକି ଥାଏ । ତାହା ହେଉଛି- ଚିତାଲାଗି, ଖସା-ପଡ଼ା ଓ ରାହୁରେଖା ଲାଗି ।
ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନନୀତି ଓ ହାତୀବେଶ ‘ଉଲାଗି’ (ଓହ୍ଲାଯିବା) ପରେ, ଠାକୁରମାନେ ଗୋଟିପହଣ୍ଡିରେ ଅଣସର ଘରକୁ ଯାଆନ୍ତି । ସେଠାରେ ସେମାନଙ୍କର ମସ୍ତକରେ ଲାଗି ହୋଇଥିବା ତିନି ରତ୍ନଚିତା ଖୋଲି ଦିଆଯାଏ । ସେଦିନ ରାତିରେ, ତିନି ଠାକୁରଙ୍କ ମସ୍ତକର ସୁନାର ରାହୁରେଖା ମଧ୍ୟ ଖୋଲି ଦିଆଯାଏ । ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ରଥରେ ବିଜେ ହେବା ପରେ, ସେମାନଙ୍କୁ ସୋଲ ଚିତା ଲାଗି କରାଯାଏ । ଶ୍ରାବଣ ଅମାବାସ୍ୟା ଦିନ ରତ୍ନସିଂହାସନରେ ସେହି ସୋଲଚିତା ଖୋଲାଯାଇ, ତାହା ପରିବର୍ତ୍ତେ ରତ୍ନଚିତା ଲାଗି ହୁଏ । ତେଣୁ ଶ୍ରାବଣ ଅମାବାସ୍ୟା ‘ଚିତାଲାଗି ଅମାବାସ୍ୟା’ ଭାବରେ ପ୍ରସିଦ୍ଧ ।
ଏହା ପରର ଆଉ ଗୋଟିଏ ନୀତି ହେଉଛି ‘ଖସା-ପଡ଼ା’ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଏବଂ ଶ୍ରୀପୟର (ପାଦଦେଶ)ର ସୁରକ୍ଷା ଲାଗି ଏହି ନୀତି ସମ୍ପାଦନ କରାଯାଇଥାଏ । ଅଣସର ବେଳେ ଦଇତା ଓ ପତି ସେବକମାନେ ଯେଉଁ ଗୁପ୍ତନୀତି କରିଥାଆନ୍ତି, ତାହାର ଶେଷ ନୀତି ‘ଶ୍ରୀପୟର ମୁଦା’ ।
ଏହା ପରେ, ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ସେମାନଙ୍କ ମସ୍ତକରେ ପୁନଶ୍ଚ ସୁନାର ରାହୁରେଖା ଲାଗି କରାଯାଏ । ଏଣୁ ଏହି ତିଥିର ନାମ ‘ରେଖାପଞ୍ଚମୀ’ । ପ୍ରକୃତରେ ଏହା ହିଁ ଶ୍ରୀଜଗନ୍ନାଥଙ୍କ ସ୍ନାନ ଓ ରଥଯାତ୍ରାର ସବାଶେଷ ନୀତି ।
ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଦିନ ବଲ୍ଲଭ ଭୋଗ ଶେଷ ପରେ ଭଣ୍ଡାର ମେକାପ ଭଣ୍ଡାର ଘରେ ମୁଦ ହୋଇଥିବା ସୁବର୍ଣ୍ଣ ରାହୁରେଖା, ଦେଉଳକରଣ, ତଡ଼ଉକରଣ ଓ ଶ୍ରୀମନ୍ଦିରର ପ୍ରାଶସନିକ ଅଧିକାରୀଙ୍କ ଉପସ୍ଥିତିରେ ବାହାର କରି ଆଣି ବେହରଣ କିମ୍ବା ମାଜଣା ମଣ୍ଡପରେ ଉପସ୍ଥିତ ଥିବା ବଣିଆଙ୍କୁ ସଫା କରିବାକୁ ଦିଅନ୍ତି । ଏ ସମସ୍ତଙ୍କ ଉପସ୍ଥିତିରେ ବଣିଆ ରାହୁରେଖା ତିନୋଟି ସଫା କରନ୍ତି । ଭୋଗମଣ୍ଡପ ସରିବା ପରେ ପାଳିଆ ପ୍ରତିହାରୀ ଜୟ ବିଜୟ ଦ୍ଵାର ବନ୍ଦ କରିନ୍ତି । ପାଳିଆ ପୁଷ୍ପାଳକମାନେ ଠାକୁରମାନଙ୍କର ଝୋବାକଣ୍ଠି ଅଳଙ୍କାର ମଇଲମ କରିବେ ଓ ଶ୍ରୀଦେବୀ, ଭୂଦେବୀଙ୍କୁ ନେଇ ଖଟଶେଯ ଘରେ ବିଜେ କରାଇଥାଆନ୍ତି ।
ଅଣସର ସୁଧସୁଆର ସିଂହାସନ ତଳେ ଓଷୁଅ ପ୍ରସ୍ତୁତ କରି ରଖାଯାଏ । ପରେ ପରେ ଦଇତାପତିମାନେ ଆସି ଗୋଡ଼ହାତ ଧୋଇ ସିଂହାସନ ଉପରକୁ ଉଠିବେ । ପାଳିଆ ମେକାପ ବାଡ଼ ବାଡ଼ କରି ରାହୁରେଖା, ପତି ମହାପାତ୍ରଙ୍କୁ ଦେବା ପରେ ସେ ସଂସ୍କାର କରି ବାଡ଼ଗ୍ରାହୀ ଦଇତାଙ୍କୁ ଦିଅନ୍ତି । ପରେ ସମସ୍ତ ଦଇତା ମିଶି ଓଷୁଅ ଓ ବଇତମରେ ରୁନ୍ଧା କାର୍ଯ୍ୟ କରି ସାରି ସିଂହାସନରୁ ଓହ୍ଲାଇ ଆସନ୍ତି । ସିଂହାସନ ପୋଛା ସରି ମହାସ୍ନାନ ପୂଜା ହେଲେ ପୂଜାପଣ୍ଡା ଆସି ପୂଜା ବଢାନ୍ତି । ପରେ ଶ୍ରୀଦେବୀ ଓ ଭୂଦେବୀ ଖଟଶେଯ ଘରୁ ଆସି ସିଂହାସନରେ ବିଜେ କଲେ ମଇଲମ ହୋଇ ବେଶ ବଢେ । ମଧ୍ୟାହ୍ନ ଧୂପ ପରେ ପଡ଼ିବା ଉତ୍ତାରେ ପଣ୍ଡା, ପତି ଓ ମୁଦିରସ୍ତ ତିନିବାଡ଼ରେ ବନ୍ଦାପନା କରନ୍ତି । ଏହାପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ପାଳିତ ହୁଏ ।



