
ଭୁବନେଶ୍ବର: ଆସୁଛି ଆଉ ଏକ ଲଘୁଚାପ । ଗୋଟିଏ ଲଘୁଚାପର ପ୍ରଭାବ ନ ସରୁଣୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ନୂତନ ଉପର ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୨୦ ଅଗଷ୍ଟ ପାଖାପାଖି, ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରବାବରେ ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେପଟେ ଉପକୂଳ ପଶ୍ଚିମବଙ୍ଗ ଉପରେ ଥିବା ଲଘୁଚାପ ଗତକାଲି (ଗୁରବାର) ଅପପାତରେ ପରିଣତ ହୋଇ 12 କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରି ସେହି ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇଥିଲା । ଏହା ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅତି ଭୀଷଣ ବର୍ଷା ଲାଗି ରହିଛି । ବିଭିନ୍ନ ନଦୀଗୁଡିକର ଜଳସ୍ତର ବଢ଼ିବାରେ ଲାଗିଛି । ଜଳକା ଓ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପୁଣି ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ପୁଣି ଏକ ଲଘୁଚାପ ଆସୁଛି ।
ଆଜି ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସବ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହି 4 ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବର୍ଷା ସହ ପବନର ବେଗ 40ରୁ 50 କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ । ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ଏବଂ ପବନ ମିଶି ପାଗ ପରିସ୍ଥିତିରେ ହଠାତ୍ ଅବନତି ଆଣିପାରେ । ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ, ଓଡ଼ିଶାରେ ପୁଣି ଥରେ ପ୍ରବଳ ବର୍ଷା ହୋଇପାରେ ।




