
ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ୧୯ ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମେଳାକୁ ଉଦଘାଟନ କରିଥିବା ବେଳେ ଏହା ମାର୍ଚ୍ଚ ୩୧ ତାରିଖ ପର୍ୟ୍ୟନ୍ତ ଜାରି ରହିବ । ପ୍ରତିଦିନ ଅପରାହ୍ନ ୩ ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଖୋଲା ରହିବ। ମେଳାରେ ୧୫ରୁ ଅଧିକ ରାଜ୍ୟର କାରିଗର ଏବଂ ବୁଣାକାର ଅଂଶଗ୍ରହଣ କରିଛନ୍ତି । ଚଳିତବର୍ଷ ୬୫୦ରୁ ଅଧିକ ଷ୍ଟଲର ଆୟୋଜନ ହୋଇଛି ଏବଂ ଏହା ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପାଇଁ ୩୫ ଗୋଟି ଷ୍ଟଲ ଆୟୋଜନ ହୋଇଛି। ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ହସ୍ତତନ୍ତର ସଂରକ୍ଷଣ ସହ ବୁଣାକାର ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ନିମନ୍ତେ ଏହା ଏକ ବଜାର ଯୋଗାଇଦେବା ନେଇ ଏହି ମେଳାର ଆୟୋଜନ ହୋଇଛି ।ରାଜ୍ୟ ସରକାରଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୨୫୦ ଷ୍ଟଲ, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୧୦ ଟି ଷ୍ଟଲ ବ୍ୟବସ୍ଥା ହୋଇଛି । ଏତଦ ବ୍ୟତୀତ ବିଭିନ୍ନ ଶିକ୍ଷାନୁଷ୍ଠାନ, ଭାରତ ତଥା ଓଡିଶା ସରକାରଙ୍କ ଅଧିନସ୍ଥ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ଭିତ୍ତିକ ସଂସ୍ଥାମାନେ ବିଭିନ୍ନ ଷ୍ଟଲରେ ଦର୍ଶକମାନଙ୍କୁ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଷୟରେ ଲାଇଭ ସାମଗ୍ରୀ ତିଆରି କରି ଅବଗତ କରାଉଛନ୍ତି । ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହସ୍ତତନ୍ତ ଆମ ଗୌରବମୟ ଐତିହ୍ୟର ପରିଚୟ ଓ ଓଡ଼ିଆ ଅସ୍ମିତାର ନିଚ୍ଛକ ନିଦର୍ଶନ। ତେଣୁ ଚଳିତ ବର୍ଷ ଏହି ନିଦର୍ଶନର ଗରିମାକୁ ବଢାଇବାକୁ ନେଇ ୨୦୨୫-୨୬ ବର୍ଷରେ ୯ ଟି ହସ୍ତଶିଳ୍ପ ଉତ୍ପାଦକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯିବ । ଏହାସହ କଣ୍ଟିଲୋ, ପିପିଲି, ବାଲିଯୋର, ହୀରାକୁଦ , କଟକ, କୋଟପାଡ଼କୁ ଐତିହ୍ୟ କ୍ରାଫ୍ଟ ଓ ବୁଣାକାର ଗ୍ରାମ ଭାବେ ବିକଶିତ କରାଯିବ। ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ହେଉଛି ଆମ କଳାର ଏକ ସ୍ୱତନ୍ତ୍ର ପରିଚୟ, ସମଗ୍ର ଓଡ଼ିଆ ଜାତିକୁ ଏହା କଳାର ଏକତା ସୂତ୍ରରେ ବାନ୍ଧି ରଖିଛି। ହଜାର ହଜାର ହସ୍ତତନ୍ତ କାରିଗରମାନକୁ ଏହା କେବଳ ଜୀବନ ଜୀବିକା ଯୋଗାଇନି ବରଂ ସ୍ୱାବଲମ୍ବୀ ହେବାର କଳା ଶିଖାଇଛି। ଏହି ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ଓ ଅଙ୍ଗୀକାରବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଛନ୍ତି।







