
ଭୁବନେଶ୍ୱର : ପୁଲିସ ଏସଆଇ ନିଯୁକ୍ତି ସ୍କାମ। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ। ଭୁବନେଶ୍ଵର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି। ଉକ୍ତ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ଵରେ ଗଠନ ହୋଇଥିବା ଟିମ୍ ଏସଆଇ ସ୍କାମ୍ର ତନାଘନା କରିବ। ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇବ୍ରାଞ୍ଚ କରୁଥିଲା। ତେଣୁ କ୍ରାଇମବ୍ରାଞ୍ଚକୁ ସମସ୍ତ ଦସ୍ତାବିଜ୍ ମାଗିଛି ସିବିଆଇ। ସେପଟେ ଗତକାଲି ଏହି ମାମଲାର ମାଷ୍ଟରମାଇଣ୍ଡ୍ ଶଙ୍କର ପୃଷ୍ଟିର ଘନିଷ୍ଠ ସହଯୋଗୀ ସାଗର ଗୌଡ଼କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଦୀଘା ମଡ୍ୟୁଲକୁ ଅପରେଟ୍ କରୁଥିଲା ସାଗର।
ପୁରା ସ୍କାମର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟିର ଘନିଷ୍ଠ ସାଗର ଗୌଡ଼କୁ ବାନ୍ଧିଛି ତଦନ୍ତକାରୀ ସଂସ୍ଥା। ସାଗରକୁ ନୋଟିସ ଦେଇ କ୍ରାଇମବ୍ରାଞ୍ଚ ଅଫିସକୁ ଡାକିବା ପରେ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଏହାରି ଭିତରେ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର । ଦୀଘା ମଡ୍ୟୁଲର ମାଷ୍ଟରମାଇଣ୍ଡ ଥିଲା ସାଗର । ଯେଉଁଠି ୧୧୦ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ଦଲାଲ ଅରବିନ୍ଦ ଦାସ ଜରିଆରେ ହୋଇଥିଲା ହୋଟେଲ ବୁକ । ଏପରିକି ସମସ୍ତ ବ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ପାଇଁ ଗତ ୨୯ ସେପ୍ଟେମ୍ବରରେ ସାଗର ଦୀଘା ମଧ୍ୟ ଯାଇଥିଲା ବୋଲି ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ପରେ ସିବିଆଇ ତଦନ୍ତରେ ଅନେକ ଗୁମର ଖୋଲିବା ନେଇ ରହିଛି ଆଶା । ଏଣେ ଆଇନମନ୍ତ୍ରୀ କହିଛନ୍ତି, ଘଟଣାକୁ ନେଇ ଆଶାୟୀ ପରୀକ୍ଷାର୍ଥୀଙ୍କ ମନରେ ଯେଭଳି କୌଣସି ଦ୍ବନ୍ଦ ରହିବ ନାହିଁ ସେଥିପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥିରେ ଜଡିତ ସମସ୍ତ ଲୋକ ବନ୍ଧା ହେବେ ।




