
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ହାତୀ ଓ ବନ୍ୟଶୂକର ଉପଦ୍ରବ ଏବେ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ପାଇଁ ଏକ ଗମ୍ଭୀର ସମସ୍ୟାର ରୂପ ନେଇଛି। ବିଶେଷକରି ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ବ୍ଲକର ବନାଞ୍ଚଳ ସଂଲଗ୍ନ ଗ୍ରାମଗୁଡ଼ିକରେ ହାତୀପଲଙ୍କ ଅନୁପ୍ରବେଶ ଫଳରେ ଲୋକମାନେ ଭୟ ଓ ଆତଙ୍କ ମଧ୍ୟରେ ଦିନ କାଟୁଛନ୍ତି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ମଙ୍ଗଳବାର ଘୁ.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ନିକଟ ଅତୀତରେ ହାତୀ ଆକ୍ରମଣରେ ୫ ଜଣ ଆଦିବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ଟି ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଇଛନ୍ତି। ଏହାସହ ଶହ ଶହ ଏକର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଘରବାଡ଼ି ଭାଙ୍ଗିଯାଇଛି। ସନ୍ଧ୍ୟା ହେଲେ ହାତୀପଲ ଗାଁ ଭିତରକୁ ପ୍ରବେଶ କରୁଥିବାରୁ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଚାଷୀଙ୍କ କୃଷିକାର୍ଯ୍ୟ ଏବଂ ସାଧାରଣ ଲୋକଙ୍କ ନିତ୍ୟଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି।
ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଆଶାନୁରୂପ ପଦକ୍ଷେପ ଗ୍ରହଣ ନହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ମାନବ–ବନ୍ୟଜନ୍ତୁ ସଂଘର୍ଷକୁ ରୋକିବା ଓ ଜନସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ସ୍ମାରକପତ୍ରରେ କନ୍ଧମାଳ ଜିଲ୍ଲା ପାଇଁ ସ୍ୱତନ୍ତ୍ର ର୍ୟାପିଡ୍ ରେସ୍ପନ୍ସ ଟିମ୍ (ଆର୍ଆର୍ଟି) ଗଠନ, ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ବ୍ୟବସ୍ଥା, ବନ୍ୟଜନ୍ତୁ ପ୍ରବଣ ଅଞ୍ଚଳରେ ସୋଲାର ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ନିୟମିତ ପାଟ୍ରୋଲିଂ, କ୍ଷତିଗ୍ରସ୍ତ ଚାଷୀ ଓ ପରିବାରଙ୍କୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ, ହାତୀ ଚଳପ୍ରଚଳ ଅଞ୍ଚଳରେ ଆଧୁନିକ ଅର୍ଲି ୱାର୍ନିଂ ସିଷ୍ଟମ୍ ଏବଂ ସୁରକ୍ଷା ବାଡ଼ ନିର୍ମାଣ ଭଳି ଦାବି ଉଠାଯାଇଛି।
ଏହି ଦାବିପତ୍ରର ନକଲ ବନ ଓ ପରିବେଶ ମନ୍ତ୍ରୀ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, କନ୍ଧମାଳ ଜିଲ୍ଲାପାଳ ଓ ଡିଏଫଓଙ୍କ ନିକଟକୁ ମଧ୍ୟ ପ୍ରେରଣ କରାଯାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ ନକରାଗଲେ ଆଗାମୀ ଦିନରେ ବୃହତ୍ତର ଗଣଆନ୍ଦୋଳନ ଆରମ୍ଭ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଏହି ଅବସରରେ ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ବାଘ, ଫିଲିମନ ନାୟକ, ମିଡ଼ିଆ ବ୍ଲକ ସଭାପତି ଅରୁଣ ଷଡ଼ଙ୍ଗୀ, ଅନିଲ ଦଳବେହେରା, ଟାର୍ଜନ ସାହୁ, ଗଗନ ପ୍ରଧାନ, ନୀଳମାଧବ ପ୍ରଧାନ, ସଞ୍ଜୀବ ଦିଗାଲ, ଗୋବିନ୍ଦ ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ସ୍ମାରକପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


