
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ଓଡ଼ିଶା ରାଜ୍ୟ ଓ ଜିଲ୍ଲା କମିଶନ କ୍ଷିପ୍ରଲେଖକ (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬” ର ପ୍ରଣୟନ ହୋଇଛି । ଏହି ନିୟମରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରଣାଳୀ ଓ ପଦୋନ୍ନତିର ସୁଯୋଗ ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି । ଏହି ନୂତନ ନିୟମ ଓଡ଼ିଶାର ରାଜ୍ୟ କମିଶନ ଓ ଜିଲ୍ଲା କମିଶନଗୁଡିକର ପ୍ରତିଷ୍ଠାନଗତ କ୍ଷମତାକୁ ସୁଦୃଢ କରିବ । କ୍ଷିପ୍ରଲେଖକ କ୍ୟାଡରର ସୁପରିଚାଳନା ଓ କାର୍ଯ୍ୟକୁ ସାମର୍ଥ୍ୟ ପ୍ରଦାନ କରିବ ।




