ଗଞ୍ଜାମ ଜିଲ୍ଲାକୁ ମିଳିଲା ତିନି ପ୍ରତିଷ୍ଠିତ ଜାତୀୟ ପୁରସ୍କାର

ବ୍ରହ୍ମପୁର: ପୁଣି ଥରେ ଦିଲ୍ଲୀରେ ଚମକିଛି ଗଞ୍ଜାମ ଜିଲ୍ଲା । ଜିଲ୍ଲାକୁ ମିଳିଛି ତିନିଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର । ଜିଲ୍ଲାର ଦୁଇଟି ପଞ୍ଚାୟତ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇଥିବା ବେଳେ ଗଞ୍ଜାମ ଜିଲ୍ଲା ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ପାଇବାର ଗୌରବ ହାସଲ କରିଛି ।ସମଗ୍ର ରାଜ୍ୟରୁ ୪ଟି ପଞ୍ଚାୟତ ଏବଂ ଗୋଟିଏ ଜିଲ୍ଲା ଏହି ଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେଥିରୁ ତିନିଟି ପୁରସ୍କାର ଏକାକୀ ଗଞ୍ଜାମ ଜିଲ୍ଲା ପାଇବାକୁ ସକ୍ଷମ ହୋଇଛି । ପୋଲସରା ବ୍ଲକର ମନ୍ଦାର ପଞ୍ଚାୟତକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ “ସାମାଜିକ ଭାବେ ନ୍ୟାୟପୂର୍ଣ୍ଣ ଓ ସୁରକ୍ଷିତ” ପଞ୍ଚାୟତ ଭାବେ ସ୍ୱୀକୃତି ମିଳିଥିବା ବେଳେ ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତ ଦେଶର ତୃତୀୟ ସର୍ବଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ପୁରସ୍କାର ପାଇପାରିଛି ।
ସେହିପରି ଗଞ୍ଜାମ ଜିଲ୍ଲାକୁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି । ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ହାତରୁ ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ୱାସନ, ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଏପିଡି ବିଜୟ ବେହେରାଙ୍କ ସମେତ ପୋଲସରା ବିଡିଓ ଶଶିଭୂଷଣ ମହାପାତ୍ର, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ପିଇଓ ରୋଜାଲିନ ବେହେରା, ମନ୍ଦାର ସରପଞ୍ଚ ସୁନିତା ଜେନା ଓ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ବାଣୀ ସୁକାନ୍ତ ପ୍ରମୁଖ ଜିଲ୍ଲାବାସୀଙ୍କ ତରଫରୁ ଟ୍ରଫି, ମାନପତ୍ର ଓ ଅର୍ଥରାଶି ଗ୍ରହଣ କରିଛନ୍ତି ।
ପୁରସ୍କାର ବାବଦରେ ଗଞ୍ଜାମ ଜିଲ୍ଲାକୁ ୩ କୋଟି ଟଙ୍କା, ମନ୍ଦାର ପଞ୍ଚାୟତକୁ ୩୭.୫୦ ଲକ୍ଷ ଟଙ୍କା ଓ ପୋଟଲାମପୁର ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ମିଳିଛି । ଏହି ଐତିହାସିକ ସଫଳତା ଜନପ୍ରତିନିଧି, ପଞ୍ଚାୟତିରାଜ ଜନ ପ୍ରତିନିଧି, ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ସର୍ବୋପରି ଗଞ୍ଜାମବାସୀଙ୍କ ସାମୁହିକ ନିରନ୍ତର ଉଦ୍ୟମ ଓ ପାରସ୍ପରିକ ସହଯୋଗ ଫଳରେ ଗଞ୍ଜାମ ଜିଲ୍ଲାକୁ ଏହି ସର୍ବଭାରତୀୟ ଗୌରବ ମିଳିପାରିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ୱାସନ କହିଛନ୍ତି । ସମସ୍ତ ଶ୍ରେୟ ଜିଲ୍ଲାବାସୀଙ୍କର ବୋଲି ସେ କହିଛନ୍ତି । ଏହି ପୁରସ୍କାର ଜିଲ୍ଲାର ସମସ୍ତ ପଞ୍ଚାୟତକୁ ଆହୁରି ଅଧିକ ଜନମଙ୍ଗଳକାରୀ କାର୍ଯ୍ୟ କରିବାକୁ ପ୍ରୋତ୍ସାହିତ କରିବ ବୋଲି ଜିଲ୍ଲାପାଳ ଆଶାବ୍ୟକ୍ତ କରିଛନ୍ତି ।
ସ୍ଥାନୀୟ ଅଞ୍ଚଳରେ ବିକାଶ ଲକ୍ଷ୍ୟ ନେଇ ଭାରତ ସରକାର ୯ଟି ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି । ଏହି ମାନଦଣ୍ଡରେ ଉତ୍କୃଷ୍ଟତା ପ୍ରଦର୍ଶନ କରିଥିବା ହେତୁ ଗଞ୍ଜାମ ଜିଲ୍ଲାକୁ ଏହି ଜାତୀୟ ପୁରସ୍କାର ମିଳିପାରିଛି । ଆଗରୁ ମଧ୍ୟ ଗଞ୍ଜାମ ଜିଲ୍ଲା ସର୍ବଭାରତୀୟ ସ୍ତରରେ ବିଭିନ୍ନ ସମ୍ମାନଜନକ ପୁରସ୍କାର ପାଇଆସିଛି । ଗଞ୍ଜାମ ଜିଲ୍ଲା ତାହାର ପୂର୍ବ ସୁନାମକୁ ବଜାୟ ରଖିପାରିଛି ବୋଲି ଜିଲ୍ଲାପାଳ କହିବା ସହିତ ଗଞ୍ଜାମବାସୀଙ୍କୁ ଏକକ ପ୍ଲାଷ୍ଟିକ ବର୍ଜନ କରି ପ୍ରକୃତି ଓ ପରିବେଶକୁ ସମୃଦ୍ଧ କରିବା, ବ୍ୟାପକ ଚାରାରୋପଣ କରିବା, ସବୁବେଳେ ନୀତିନିୟମକୁ ମାନିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ସାହିତ୍ୟ ଓ ସଂସ୍କୃତି ଆଦି ସମସ୍ତ କ୍ଷେତ୍ରରେ ଅଧିକରୁ ଅଧିକ ଭଲ କାମ କରି ଜିଲ୍ଲାର ସୁନାମକୁ ବିଶ୍ଵସ୍ତରକୁ ନେବା ପାଇଁ ସେ ଜିଲ୍ଲାବାସୀଙ୍କୁ ଏହି ଅବସରରେ ଆହ୍ୱାନ କରିଛନ୍ତି । ଗଞ୍ଜାମ ଜିଲ୍ଲାକୁ ଏହି ଜାତୀୟ ପୁରସ୍କାର ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ